ଲକଡାଉନ ସମୟରେ ୩୭୦ ଲୋକଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଛି। ତେବେ ଏହାକୁ ନେଇ ଅନେକ ଲୋକ ମାନସିକ ଅବସାଦ ଏବଂ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇ ନିଜ ଜୀବନ ହରାଇଛନ୍ତି। ଦେଶରେ ୩୫୦ରୁ ଅଧିକ ଲୋକ ଲକଡାଉନ ସମୟରେ ପ୍ରାଣ ହରାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏମାନେ କରୋନା ଭୂତାଣୁ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ନ ଥିଲେ ବୋଲି ଅଧ୍ୟୟନରେ କୁହାଯାଇଛି।

ଅଧ୍ୟୟନରେ ମେ ୮ ତାରିଖ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁକୁ ସାମିଲ କରାଯାଇଛି। ଆଗାମୀ ଦିନରେ ଯଦି ଏଭଳି କାହାର ମୃତ୍ୟୁ ଘଟେ ତେବେ ତାହାକୁ ଏହି ଡାଟାବେସ୍‌ରେ ଯୋଡ଼ାଯିବ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଶୁକ୍ରବାର ଏକ ମାଲଗାଡ଼ି ଚଢ଼ିଯିବାରୁ ୧୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଶ୍ରମିକମାନେ ମଧ୍ୟପ୍ରଦେଶ ଫେରୁଥିଲେ।

ସୂଚନା ଅନୁସାରେ ପବ୍ଲିକ ଇଣ୍ଟରେଷ୍ଟ ଟେକ୍ନୋଲୋଜିଷ୍ଟ ଥେଜେଶ ଜି.ଏନ., ସାମାଜିକ କର୍ମୀ ତଥା ଗବେଷକ କନିକା ଶର୍ମା ଏବଂ ଜିନ୍ଦଲ ଗ୍ଲୋବାଲ ସ୍କୁଲ ଅଫ ଲ’ର ସହାୟକ ପ୍ରଫେସର ଅମନ ପ୍ରମୁଖ ଏହି ଅଧ୍ୟୟନରେ ସାମିଲ ଥିଲେ। ଏମାନେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଆଧାରରେ ତଥ୍ୟ ଏକାଠି କରି କହିଛନ୍ତି ​ ଯେ, ମାର୍ଚ୍ଚ ୧୯ରୁ ମେ ମାସ ୮ ତାରିଖ ମଧ୍ୟରେ ୩୭୦ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହା ସମ୍ପୂର୍ଣ୍ଣ ତଥ୍ୟ ନୁହେଁ। ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଇଛି।

ମୃତକଙ୍କ ମଧ୍ୟରୁ ୭୩ ଜଣ ମାନସିକ ଅବସାଦ ଏବଂ କରୋନାରେ ଆକ୍ରାନ୍ତ ହେବା ଭୟ ଯୋଗୁ ଆତ୍ମହତ୍ୟା କରିଛନ୍ତି। ଏହା ପଛକୁ ମୃତ୍ୟୁ ସଂଖ୍ୟାରେ ୨ୟ ସ୍ଥାନରେ ରହିଛନ୍ତି ପ୍ରବାସୀ ଶ୍ରମିକ। ବନ୍ଦ ଯୋଗୁ ଏହି ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଚାଲି ଚାଲି ଏବଂ ଅନ୍ୟାନ୍ୟ ଉପାୟରେ ଫେରୁଥିବା ସମୟର ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମେ ୧ ତାରିଖ ସୁଦ୍ଧା ପ୍ରାୟ ୪୦ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଔରଙ୍ଗାବାଦ ଜିଲାର ହାଲିଆ ଘଟଣାକୁ ମିଶାଇଲେ ଏହି ସଂଖ୍ୟା ୫୬ ହେବ। ସେହିପରି ମଦ ନ ମିଳିବାରୁ ୪୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଖାଦ୍ୟାଭାବ ଓ ଆର୍ଥିକ ଅଭାବ କାରଣରୁ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ଗବେଷକମାନେ କହିଛନ୍ତି, ସଂକ୍ରମଣ ଭୟ, ଏକୁଟିଆପଣ ଯୋଗୁ ମାନସିକ ଅବସାଦରେ ରହିବା ଏବଂ ଗମନାଗମନ ନିଷେଧ ଯୋଗୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଉଦାହରଣ ସ୍ବରୂପ, ମଦ ନ ମିଳିବାରୁ ୭ ଜଣ ବ୍ୟକ୍ତି ଆଫ୍‌ଟର ଶେଭ୍‌ ଲୋଶନ ଅଥବା ସାନିଟାଇଜର ପିଇଦେବାରୁ ସେମାନଙ୍କ ମୃତ୍ୟୁ ହୋଇଛି। କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀ ଅନେକ ଶ୍ରମିକ ସଂକ୍ରମଣ ଭୟ, ପରିବାରଠାରୁ ଦୂରରେ ରହିବା ଫଳରେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି।

ଇଂଲିଶ, ହିନ୍ଦୀ, କନ୍ନଡ, ମରାଠି, ତାମିଲ, ବଙ୍ଗାଳୀ, ଓଡ଼ିଆ ଏବଂ ମଲୟାଲମ ଖବରକାଗଜ, ଅନଲାଇନ ନ୍ୟୁଜ ପୋର୍ଟାଲ ଏବଂ ସୋସିଆଲ ମିଡିଆରୁ ସଂଗୃହୀତ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନ କରାଯାଇଛି।

Comments
Loading...