ଆସନ୍ତାକାଲିଠାରୁ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ଦଳ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀମାନଙ୍କର ଏକ ପ୍ରତିନିଧି ଦଳ ଆସନ୍ତାକାଲିଠାରୁ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ।  ଚଳିତ ମାସ ୨୪ ତାରିଖ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେମାନେ ମୋଟ ୫୯ଟି ସ୍ଥାନ ପରିଦର୍ଶନ କରିବାକୁ ଥିବାବେଳେ ‌ସେଥିମଧ୍ୟରୁ ୫୧ଟି ହେଉଛି ଜାମ୍ମୁ ଅନ୍ତର୍ଭୁକ୍ତ। ଅବଶିଷ୍ଟ ୮ଟି ଅଞ୍ଚଳ ଶ୍ରୀନଗର ଅନ୍ତର୍ଭୁକ୍ତ । ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ୍‍ ରେଡ୍ଡୀ ଜମ୍ମୁ ଓ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଜମ୍ମୁ-କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଇଚ୍ଛା ପ୍ରକାଶ କରିଥିବା ଶ୍ରୀ ରେଡ୍ଡୀ କହିଛନ୍ତି । କେଉଁ ମନ୍ତ୍ରୀ କେଉଁଠିକୁ ଯିବେ ତାହାର ତାଲିକା ପ୍ରସ୍ତୁତ ହୋଇଛି। ସୂଚନାନୁଯାୟୀ, ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ ୧୯, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୩ ତାରିଖରେ ଯିବାକୁ ଥିବାବେଳେ ତାଲିକାରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡି, ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ପ୍ରମୁଖଙ୍କ ନାମ ରହିଛି। ମନ୍ତ୍ରୀମାନଙ୍କ ଗସ୍ତ କାଶ୍ମୀର ଉପତ୍ୟକାରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସରକାର ଆଶା ରଖିଛନ୍ତି। ଗତ ସପ୍ତାହରେ ୧୫ଜଣିଆ କୂଟନୈତିକ ପ୍ରତିନିଧି ଦଳ ଦୁଇ ଦିନ କାଳ ଜାମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ପୂର୍ବରୁ ୟୁରୋପୀୟ ସଙ୍ଘ ପ୍ରତିନିଧି ଦଳ ମଧ୍ୟ କାଶ୍ମୀରର ଗସ୍ତରେ ଯାଇଥିଲେ। ଏହାଦ୍ବାରା ସରକାର ଧାରା ୩୭୦ ଉଚ୍ଛେଦକୁ ନେଇ ଆନ୍ତର୍ଜାତିକସ୍ତରରେ ଯେଉଁ ଚିନ୍ତାଧାରା ସୃଷ୍ଟିହୋଇଛି ତାହାର ପରିବର୍ତ୍ତନ ପାଇଁ ପ୍ରୟାସ ଚଳାଇଛନ୍ତି।

ଜମ୍ମୁ-କାଶ୍ମୀର ପୁନର୍ଗଠନର ଦୀର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ଏହି ମନ୍ତ୍ରୀମାନେ  ସେଠାକୁ ଗସ୍ତ କରୁଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଜଣାପଡିଛି ।

 

Comments are closed.