ଶ୍ରେଣୀଗୃହକୁ ମୋବାଇଲ ଫୋନ୍‌ ମନା
ଭୁବନେଶ୍ବର, ୧ା୧(ନି.ପ୍ର): ବିଦ୍ୟାଳୟ ଶ୍ରେଣୀଗୃହରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବା ସମୟରେ ଭ୍ରାମ୍ୟମାଣ ଦୂରଭାଷ ଯନ୍ତ୍ର (ମୋବାଇଲ ଫୋନ)ନେଇ ପାରିବେ ନାହିଁ। ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ମୋବାଇଲ ଫୋନ ନେଇପାରିବେ କିନ୍ତୁ ଶ୍ରେଣୀଗୃହରେ ଏବଂ ପାଠ ପଢ଼ାଇବା ସମୟରେ ଏହାକୁ ବନ୍ଦ ରଖିବାକୁ ପଡିବ। ପିଲାଙ୍କ ପାଠପଢା ସମୟରେ ଶିକ୍ଷକଙ୍କ ମୋବାଇଲକୁ ଫୋନ ଆସିବା ଦ୍ବାରା ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ପିଲାଙ୍କ ପାଠପଢ଼ାକୁ ନେଇ ଏମିତି କିଛି ନିୟମ ଆଣିବାକୁ ବିଚାର କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହକୁ ଫୋନ ନେବା ଅନୁଚିତ। ଶ୍ରେଣୀଗୃହକୁ ଶିକ୍ଷକ ମୋବାଇଲ ନେଇ ଯାଇପାରିବେନି ବୋଲି ସମ୍ବଲପୁର ଜିଲା ଶିକ୍ଷାଧିକାରୀ (ଡିଇଓ) ଜିଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ବିଭାଗ ବିଚାର କରୁଛି। ସମ୍ବଲପୁର ଡିଇଓ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ଆଗାମୀ ଦିନରେ ଏହା ସମସ୍ତ ବିଦ୍ୟାଳୟରେ ଲାଗୁ କରିବାକୁ ଵିଚାରବିମର୍ଶ ଚାଲିଛି। ଶିକ୍ଷକ ଶ୍ରେଣୀଗୃହକୁ ମୋବାଇଲ ଫୋନ ନ ନେଲେ ଶୃଙ୍ଖଳିତ ଭାବେ ପାଠପଢା ଯାଇପାରିବ।

Comments are closed.