ଦୁଷ୍କର୍ମ ମାମଲା ରଫାଦଫା ପାଇଁ ୩୫ ଲକ୍ଷ ଟଙ୍କା ଲାଞ୍ଚ: ଧରା ପଡ଼ିଲେ ଅହମ୍ମଦାବାଦର ମହିଳା ଏସ୍ଆଇ

ଦୁଷ୍କର୍ମ ମାମଲା ରଫାଦଫା ଲାଗି ମହିଳା ପୁଲିସ ଅଧିକାରୀ ନେଇଥିଲେ ୩୫ ଲକ୍ଷ ଟଙ୍କା ଲାଞ୍ଚ । ମାତ୍ର ଶେଷରେ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଲେ । ଏମିତି ଜଣେ ପୁଲିସ ଅଧିକାରୀ ଠାବ ହୋଇଛନ୍ତି ଗୁଜରାଟର ଅହମ୍ମଦାବାଦରେ । ତାଙ୍କ ନାଁ ହେଉଛି ଶ୍ଵେତା ଜାଡ଼େଜା । ଧରା ପଡ଼ିବା ପରେ ଏବେ ସିଏ ପୁଲିସ ହେପାଜତରେ ଅଛନ୍ତି ।

ଅହମ୍ମଦାବାଦର ଏକ ଘରୋଇ କମ୍ପାନୀର ଦୁଇଜଣ ମହିଳା କର୍ମଚାରୀ ତାଙ୍କର ଜଣେ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ନିର୍ଦେଶକ ପାହ୍ୟାରେ ଥିବା କେନେଲ ଶାହା ନାମକ ଜଣେ ଅଧିକାରୀ ସେମାନଙ୍କୁ ବଳପୂର୍ବକ ଯୌନ ଶୋଷଣ କରିଥିବା ଅଭିଯୋଗର ତଦନ୍ତ  ସାଟେଲାଇଟ୍ ଥାନାର ମହିଳା ଏସ୍ଆଇ ଶ୍ଵେତା ଜାଡ଼େଜାଙ୍କୁ ମିଳିଥିଲା ।

ଶ୍ଵେତା ମାମଲାରେ କଡ଼ା ପଦକ୍ଷେପ ନେବେ ବୋଲି ଧମକ ଦେଇ ଅଭିଯୁକ୍ତଙ୍କୁ ନାଲି ଆଖି ଦେଖାଇଥିଲେ । ଭଲରେ ଯଦି ମାମଲାରୁ ମୁକୁଳିବାକୁ ଚାହୁଁଛ ତେବେ ୩୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ରୋକଠୋକ୍ କହିଥିଲେ ।  କେନେଲ ଶାହାର ଭାଇ ଭବେଶ ସହ ଏ ନେଇ ଆଲୋଚନା ହୋଇଥିଲା ଓ ଶେଷରେ ୨୦ ଲକ୍ଷ ଟଙ୍କାରେ ମାମଲା ରଫାଦଫା କରାଯିବ ବୋଲି କଥା ଛିଡ଼ିଥିଲା । ଏହି ଟଙ୍କା ଶ୍ଵେତାଙ୍କର ଜଣେ ଚିହ୍ନା ଲୋକଙ୍କ ହାତରେ ଦିଆଯାଇଥିଲା । ଠିକ୍ ଏହି ସମୟରେ ଆଉ ଏକ ମାମଲା ମଧ୍ୟ କେନଲଙ୍କ ନାମରେ ଆସିଥିଲା । ଏହି ମାମଲାକୁ ଚାପି ଦେବା ପାଇଁ ଶ୍ଵେତା ୨୦ ଲକ୍ଷ ଟଙ୍କା ମାଗିଥିଲେ ଓ ୧୫ ଲକ୍ଷ ଟଙ୍କା ନେଇଥିଲେ ।

 ଏହି ଟଙ୍କା ଦେବାନେବା ଓ ମାମଲାର ରଫାଦଫା କରାଯିବା ଘଟଣା କେମିତି କେଜାଣି କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚି ଯାଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ସହ ଶ୍ଵେତାଙ୍କ ବିରୋଧରେ ଏତଲା ଦିଆଯାଇଛି । ପୁରା ଘଟଣାକ୍ରମର ତଦନ୍ତ ନିମନ୍ତେ  ସ୍ବତନ୍ତ୍ର ତଦନ୍ତକାରୀ ଦଳର ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଶ୍ଵେତାଙ୍କ ପୁରା ବୟାନ ରେକର୍ଡ଼ କରାଯାଇଛି । ଅଭିଯୋଗର କିଛିଟା ସତ୍ୟତା ଥିବାପରି ଲାଗୁଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଯୁଗ୍ମ କମିଶନର ।

Comments are closed.