କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ୩୫ ଶିଳ୍ପାନୁଷ୍ଠାନ 

ନିର୍ମାର ହେବ ଗ୍ରୀନ ପାର୍କ-ସ୍ପୋର୍ଟସ କଂପ୍ଲେକ୍ସ, ଜମି ଦେବ ଇଡକୋ,

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୩୫ଟି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବ । ସେଥିପାଇଁ ବିସ୍ଥାପିତ ହେବାକୁ ଥିବା ୨୯ଟି ପରିବାରକୁ ଉପଯୁକ୍ତ ଭାବେ ଥଇଥାନ କରାଯିବ। ପ୍ରତି ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିର ଦିଆଯିବ । ଯଦିଓ୨୯ ପରିବାର ବିସ୍ଥାପିତ ହେବେ, କିନ୍ତୁ ପରିବାର ସଂଖ୍ୟା ୫୮ ଭାବେ ବିବେଚନା କରାଯିବ । ପ୍ରତି ପରିବାରକୁ ୧୦ଡେସମିଲ ଲେଖାଏଁ ଜମି ପ୍ରଦାନ ସହ ବିସ୍ଥାପିତଙ୍କୁ ନୂତନ ଘର ପ୍ରଦାନ କରାଯିବ । ଆବଶ୍ୟକ ସ୍ଥଳେ ଘର ନିର୍ମାଣ ବଦଳରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଫଳରେ ବିସ୍ଥାପିତ ପରିବାର ନିଜ ଇଚ୍ଛା ମୁତାବକ ଘର ନିର୍ମାଣ କରିପାରିବେ । ସୋମବାର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ କଳିଙ୍ଗ ନଗର ଜେସିଡିଏଲ କକ୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କଳିଙ୍ଗ ନଗର ଏଡିଏମ ସନ୍ତୋଷ ମିଶ୍ର, ଅତିରିକ୍ତ ଏସପି, ସୁକିନ୍ଦା ଓ ଦାନଗଦୀ ବ୍ଲକର ତହସିଲଦାରଙ୍କ ଉପସ୍ଥିତ ଥିବା ବୈଠକରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ବିଶେଷ କରି ବିଆରପିଏଲ ନିକଟରେ ଉପଜୁଥିବା ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ସ୍ଥିର ହୋଇଛି । ସେହିଭଳି ଆମୋଦ ପ୍ରମୋଦ ପାଇଁ ଗ୍ରୀନ ପାର୍କ-ଷ୍ଟୋଟର୍ସ କଂପ୍ଲେକ୍ସ, ମାର୍କେଟ କଂପ୍ଲେକ୍ସ ଏବଂ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ସ୍ଥିର ହୋଇଛି । ଅର୍ଥ ଆବଣ୍ଟିତ ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ଇଡକୋ ଜମି ଯୋଗାଇ ଦେବ।

Comments are closed.