ବିଚାରପତି ଅନୁପସ୍ଥିତ, ଧାରା ୩୫(କ) ବିରୋଧୀ ମାମଲା ଶୁଣାଣି ସ୍ଥଗିତ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରବାସୀଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନିକ ଧାରା ୩୫(କ) ସମ୍ବନ୍ଧୀୟ ଶୁଣାଣି ସୋମବାର ସର୍ବୋଚ୍ଚ ଅଦାଲତାରେ ଆରମ୍ଭ ହୋଇଛି। ମାମଲାର ଶୁଣାଣି କରୁଥିବା ତିନିଜଣିଆ ପୀଠର ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ଅନୁପସ୍ଥିତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣିକୁ ସ୍ଥଗିତ ରଖିବାକୁ ପଡିଛି। ଅଗଷ୍ଟ ୨୭ରୁ ଆରମ୍ଭ ହେଉଥିବା ସପ୍ତାହର ଯେକୌଣସି ଦିନ ଏହି ମାମଲା ଉପରେ ବିଧିବଦ୍ଧ ଶୁଣାଣି ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଧାରା ୩୫(କ) ବିରୋଧୀ ଆବେଦନ ପ୍ରତିବାଦରେ ଜାମ୍ମୁ-କାଶ୍ମୀରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ବିଚାର କରୁଛନ୍ତି। ଏଥିସହ ଏହି ଧାରା ସାମ୍ବିଧାନିକ ଢାଞ୍ଚାର ଉଲ୍ଲଙ୍ଘନ କରୁଛି କି ନାହିଁ କେବଳ ତାହା ସୁପ୍ରିମକୋର୍ଟ ଅନୁଧ୍ୟାନ କରିବେ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚାୟତ ଏବଂ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମାମଲାଗୁଡ଼ିକର ଶୁଣାଣି ଟାଳିବାକୁ ରାଜ୍ୟ ସରକାର ଆବେଦନ କରିଥିଲେ। ଆବେଦନକାରୀ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ବିରୋଧ କରାଯାଇଥିଲା। ପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ଗୁରୁତ୍ୱ ଦେଇ ନ ଥିଲେ ମଧ୍ୟ ବିଚାରପତି ଚନ୍ଦ୍ରଚୂଡଙ୍କ ଅନୁପସ୍ଥିତି କାରଣରୁ ଶୁଣାଣି ସ୍ଥଗିତ ରଖିଛନ୍ତି। ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ମଧ୍ୟ ଏହି ପୀଠ ସଦସ୍ୟ ଅଛନ୍ତି।

କ’ଣ କହିଲେ ପ୍ରଧାନ ବିଚାରପତି:
ଧାରା ୩୫ (କ) ୬୦ରୁ ଊର୍ଦ୍ଧ୍ବ ବର୍ଷ ହେବ ଜାମ୍ମୁ-କାଶ୍ମୀରରେ ପ୍ରଚଳିତ ରହିଛି। ଏହି ଧାରା ଗୋଟିଏ ଦିନ ମଧ୍ୟରେ ସମ୍ବିଧାନର ଅନ୍ତର୍ଭୁକ୍ତ ହୋଇ ନ ଥିଲା। ଏଣୁ ଏହା ଉପରେ ଗୋଟିଏ ଦିନରେ ଶୁଣାଣି ହୋଇପାରିବ ନାହିଁ। ଧାରାର ସୁରକ୍ଷା ନିମନ୍ତେ କିଛି ଓକିଲଙ୍କ ବନ୍ଦ ପାଳନ ଯୋଗୁ ଶୁଣାଣିକୁ ତ୍ୱରାନ୍ୱିତ କରାଯାଇପାରିବ ନାହିଁ। ଏହି ଧାରା ସମ୍ବନ୍ଧରେ ରାଜ୍ୟ ସରକାରଙ୍କର ବିଶେଷ କିଛି କହିବାକୁ ନ ଥିବା ଭଳି ପ୍ରତୀତ ହେଉଛି। ଏଣୁ ପୀଠ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଜାଣିବାକୁ ଚାହିଁବେ।

ଜାମ୍ମୁ-କାଶ୍ମୀର ଏଏସ୍‍ଜିଙ୍କ ଯୁକ୍ତି:
କିନ୍ତୁ ରାଜ୍ୟ ସରକାର ବହୁତ କିଛି ଯୁକ୍ତି ଉପସ୍ଥାପନ କରିବାକୁ ଚାହାନ୍ତି। ପୀଠର ଜଣେ ବିଚାରପତି ଅନୁପସ୍ଥିତ ଥିବାରୁ ମାମଲାର ଶୁଣାଣି ସ୍ଥଗିତ ରଖାଯାଉ।
ପ୍ରଧାନ ବିଚାରପତି: ଧାରା ୩୫ (କ) ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇଜଣିଆ ପୀଠ ମଧ୍ୟ ଶୁଣାଣି କରିପାରିବେ ନାହିଁ। ଅଗଷ୍ଟ ୨୭ ପରେ ଯେକୌଣସି ଦିନ ଶୁଣାଣି ହେବ।

ପକ୍ଷପାତିତା କରୁଛି ଧାରା:
ଧାରା ୩୫ (କ) କ୍ରମେ ଅନ୍ୟ ଅଞ୍ଚଳର ଲୋକେ ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଭାବେ ବସବାସ ତଥା ଜମିବାଡ଼ି କ୍ରୟ କରିପାରିବେ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଛାତ୍ରବୃତ୍ତି ଓ ସରକାରୀ ନିଯୁକ୍ତି ମଧ୍ୟ ପାଇବେ ନାହିଁ। ଏହି ଧାରାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୪ଟି ମାମଲା ରୁଜୁ ହୋଇଛି। ଅଣ-ସରକାରୀ ସଂସ୍ଥା ‘ଉଇ ଦ ସିଟିଜେନ୍‍’ ପକ୍ଷରୁ ରୁଜୁ ୩ଟି ମାମଲାରେ ଦର୍ଶାଯାଇଛି ଯେ ୧୯୫୪ରେ ଧାରା ୩୫ (କ)କୁ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଜାମ୍ମୁ-କାଶ୍ମୀରରେ ପ୍ରଣୟନ କରାଯାଇଥିଲା; କିନ୍ତୁ ଏହା ପୂର୍ବରୁ ଧାରାଟିକୁ ସଂସଦରେ ଉପସ୍ଥାପନ କରାଯାଇ ନ ଥିଲା। ଏହି ଧାରାକୁ ଜାମ୍ମୁ-କାଶ୍ମୀରରେ ପ୍ରଣୟନ ଯୋଗ୍ୟ ସାମ୍ବିଧାନିକ ନିର୍ଦେଶ-୧୯୫୪ ଅଧୀନରେ ଏକ ସଂଶୋଧିତ ଧାରା ରୂପେ ଉଲ୍ଲେଖ କରା ନ ଯାଇ କେବଳ ଏକ ‘ଅନୁବନ୍ଧ’ ଭାବେ ଦର୍ଶାଯାଇଛି। ଏହା ରାଜ୍ୟ ତଥା ରାଜ୍ୟ ବାହାରର ବାସିନ୍ଦା ଏବଂ ରାଜ୍ୟର ଯୁବକ ଓ ଯୁବତୀଙ୍କ ମଧ୍ୟରେ ପକ୍ଷପାତିତା କରୁଛି। ରାଜ୍ୟର କୌଣସି ଯୁବତୀ ରାଜ୍ୟ ବାହାରର ଯୁବକଙ୍କୁ ବିବାହ କଲେ ସେମାନଙ୍କ ସନ୍ତାନ ପୈତୃକ ସମ୍ପତ୍ତିର ହକଦାର ହୋଇପାରୁ ନାହାନ୍ତି, ଅଥଚ ରାଜ୍ୟର ଯୁବକ ବାହାରର ଯୁବତୀଙ୍କୁ ବିବାହ କରିବା ସ୍ଥଳେ ଏଭଳି ଘଟୁ ନାହିଁ। ଏଣୁ ଏହି ଧାରାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ସଂସ୍ଥା ୨୦୧୪ରେ ରୁଜୁ କରିଥିବା ମୁଖ୍ୟ ଆବେଦନରେ ଦର୍ଶାଇଛି। ଅନ୍ୟପଟେ ଏହି ଧାରାର ସୁରକ୍ଷା ଦିଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିମନ୍ତେ ଜାମ୍ମୁ-କାଶ୍ମୀର ଓକିଲ ସଂଘ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଛି। ଏହି ଧାରା ଉଚ୍ଛେଦ ଦ୍ୱାରା ଦକ୍ଷିଣପନ୍ଥୀମାନେ ରାଜ୍ୟରେ କାୟା ବିସ୍ତାର ସହ ଏହାର ସ୍ଥିତି ପରିବର୍ତ୍ତନର ସୁଯୋଗ ପାଇବେ ବୋଲି ଦର୍ଶାଇ ବିଚ୍ଛିନ୍ନତାବାଦୀମାନେ ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି।

Comments
Loading...