ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0

ବିପଦ ଆସିଲେ ସବୁଆଡ଼ୁ ଆସେ । ଗୋଟିଏ ପଟେ ଅର୍ଥର ଅଭାବ ଦାଉ ସାଧୁଥିବା ବେଳେ ଅନ୍ୟପଟେ ରୋଗ ଚିନ୍ତାକୁ ବଢ଼ାଇଛି । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ କେଳାପଡ଼ା ପଂଚାୟତର କୁମ୍ଭାର ସାହିର ଉର୍ମିଳା ରଣାଙ୍କ ପୁଅ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମ ହେବା ସମୟରେ ଶିଶୁଟିକୁ ପରିସ୍ରା ନହେବାରୁ ଜିିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନେଇ ଭର୍ତି କରିଥିଲେ ପରିବାର । ଫୁଲବାଣୀ ଡ଼ାକ୍ତର ଗୋଟିଏ ଦିନ ପରେ ଶିଶୁକୁ ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲକୁ ପଠାଇ ଦେଇଥିଲେ । ସେଠାରେ ୧୨ ଦିନ ରଖିବା ପରେ ଡ଼ାକ୍ତର ଅସ୍ତ୍ରୋପଚାର କରି କିଛିଦିନ ପରେ ଘରକୁ ଫେରିଥିଲେ ପରିବାର । କିନ୍ତୁ ଅସ୍ତ୍ରୋପଚାର କରାଯିବାର ମାତ୍ର ୧୦ ଦିନ ପରେ ସେହି ସ୍ଥାନରୁ ପୁଜ ବାହାରିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଉର୍ମିଳା ପୁଅକୁ ନେଇ ପୁଣି ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇଥିଲେ । ସେଠାରେ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତର ନଥିବାରୁ ସେ ଫେରିଆସିଥିଲେ । ଏହାପରେ ଉର୍ମିଳା ପୁଅକୁ ନେଇ କଟକରେ ଦେଖାଇଥିଲେ । ସେଠାରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡ଼ାକ୍ତର କହିଥିଲେ । ଏହା ଶୁଣି ବର୍ତମାନ ଉର୍ମିଳାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ପରିବାର ଅତି ଗରୀବ ଶ୍ରେଣୀର ହୋଇଥିବା ବେଳେ ଉର୍ମିଳାଙ୍କ ବାପା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । କାମ ନଥିଲେ ଦିନେ ଖାଇଲେ ଆର ଦିନକୁ ଉପବାସ ରହିବାକୁ ପଡ଼େ । ବହୁ କଷ୍ଟରେ ଘରେ ଥିବା ଗାଇ ଗୋରୁ,ଛେଳି,ମେଂଣ୍ଡା ବିକି ଉର୍ମିଳାଙ୍କ ବାପା ନାତିର ଅପରେସନ କରାଇଥିଲେ । ଏବେ ପୁଣି ୨ ଲକ୍ଷ ଟଙ୍କା କେଉଁଠୁ ଯୋଗାଡ଼ କରିବେ ଭାବି କାନ୍ଦି କାନ୍ଦି ଦିନ କାଟୁଛନ୍ତି ପରିବାର । ଏପଟେ ଶିଶୁର କଷ୍ଟ ଦେଖି ମା’ ଉର୍ମିଳା ଧୌର୍ୟ୍ୟହରା ହୋଇପଡ଼ୁଛନ୍ତି । ବର୍ତମାନ ପ୍ରଶାସନର ସାହାଯ୍ୟ ପାଇଁ ଅପେକ୍ଷାରେ । ଶିଶୁର ଅପରେସନ ପାଇଁ ଜିଲା ପ୍ରଶାସନପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଉର୍ମିଳା ।

Leave A Reply