ସିଏମଏ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୪ ନଂ ସ୍ଥାନ ହାସଲ କଲେ ସମ୍ବଲପୁରର ଝିଅ

0

ସମ୍ବଲପୁର: ସର୍ବଭାରତୀୟ ସ୍ତରରେ ଆୟୋଜିତ ହେଉଥିବା କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟିଙ୍ଗ ପରୀକ୍ଷାରେ ସମ୍ବଲପୁରର ଝିଅ ଆନଚଲ ସାବଲାକା ୪୪ ନଂ ସ୍ଥାନ ରଖି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ପରୀକ୍ଷା ସର୍ବଭାରତୀୟ ସ୍ତରରେ ଏକ ମାତ୍ର ସଂସ୍ଥା ଇନଷ୍ଟିଟ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହେଉଥିବା ବେଳେ ବର୍ଷରେ ଦୁଇ ଥର ମାତ୍ର ଏହି ପରୀକ୍ଷା ହୋଇଥାଏ। ପ୍ରତି ଥର ପରୀକ୍ଷାରେ ସମଗ୍ର ଦେଶରୁ ମାତ୍ର ୮ ରୁ ୯ ହଜାର ମଧ୍ୟରେ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥାନ୍ତି। ଏହି ପରୀକ୍ଷାରେ ପାସ କରିବା ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ଆବଶ୍ୟକ ହୋଇଥାଏ। ଜୁନ ମାସରେ ହୋଇଥିବା ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଜାରି ହୋଇଥିବା ପ୍ରଥମ ଟପର ୫୦ ଜଣକଙ୍କର ର୍ୟାଙ୍କ ଗୁରୁବାର ଦିନ ପ୍ରକାଶ ପାଇଛି। ଏହି ର୍ୟାଙ୍କରେ ଓଡିଶାରୁ ମାତ୍ର ଦୁଇ ଜଣ ବ୍ରହ୍ମପୁରରୁ ସରୋଜ କୁମାର ପାଢୀ ୬ ନଂ ଓ ସମ୍ବଲପୁରରୁ ଆନଚଲ ସାବଲାକା ୪୪ ନଂ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆନଚଲ ବିବାହ ପରେ ତାଙ୍କ ସ୍ୱାମୀ ସଞ୍ଜୟ ଅଗ୍ରଫ୍ୱାଲଙ୍କ ସହିତ ଝାରସୁଗୁଡାରେ ରହୁଛନ୍ତି ଏବଂ ବେଦାନ୍ତ କମ୍ପାନୀର ଏକ ସହଯୋଗୀ ସଂସ୍ଥା ରୁନାୟାରେ ଏବେ ଆର୍ଥିକ ପରାମର୍ଶଦାତା ରୁପେ କାର୍ଯ୍ୟରତ ରହିଛନ୍ତି। ଅନଚଲଙ୍କର ପିତା ପ୍ରଦୀପ ସବଲାକା ଓ ମାତା ଉଷା ଦେବୀ ସବଲାକା ସମ୍ବଲପୁରରେ ରହୁଛନ୍ତି। ଆନଚଲଙ୍କ ଏହି ସଫଳତା ପାଇଁ ତାଙ୍କର ପରିଚିତ ମହଲ ରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି।

Leave A Reply