୩ ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା, ସାବତ ମା’ ଅଟକ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦ ଗ୍ରାମରେ ଏକ ୩ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରାଯାଇଛି। ପିଲାଟିକୁ ତା’ର ସାବତ ମା’ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା(୯୯/୧୯) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ଏକ ୩ବର୍ଷର ଶିଶୁକନ୍ୟା ରହିଥିଲା। ଶନିବାର ରାତିରେ ଝିଅଟିର ମୃତ୍ୟୁ ହୋଇଥିବା ବାପା ଦେଖିଥିଲେ। ଏ ନେଇ ସେ ଗ୍ରାମବାସୀ ଏବଂ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ। ଏହାପରେ ଝିଅର ମାମୁଁଘର ଲୋକେ ଖବର ପାଇ ଲାଖପଦ ଗ୍ରାମକୁ ଆସିଥିଲେ। ଝିଅଟିକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଏବଂ ତା’ର ସାବତ ମା’ ଏହି ହତ୍ୟାକାଣ୍ଡ କରିଥିବା ନେଇ ମାମୁ ଥାନାରେ ଅଭିଯୋଗ କରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସାବତ ମା’ ଓ ତାଙ୍କ ସ୍ବାମୀଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.