ଶ୍ରୀନଗରରେ ପହଞ୍ଚିଲେ ଜିତେନ୍ଦ୍ର ସିଂହଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ; ଯିବେ ଆଉ ୩୩

ଶ୍ରୀନଗର : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଶନିବାର ଶ୍ରୀନଗରରେ ଯାଇ ପହଞ୍ଚିଛନ୍ତି । ଖରାପ ପାଗ ଓ ଜାମ୍ମୁ ବିମାନ ବନ୍ଦରଠାରେ ବେଶି ଦୂର ପର୍ୟ୍ୟନ୍ତ ଦେଖାଯାଉ ନ ଥିବା ଯୋଗୁଁ ଭିନ୍ନ ଭିନ୍ନ ବିମାନ ଯୋଗେ ଶ୍ରୀନଗରରେ ପହଞ୍ଚିଛନ୍ତି । ଅନ୍ୟ ମନ୍ତ୍ରୀମାନେ ଖୁବ ଶୀଘ୍ର ପହଞ୍ଚିବେ ବୋଲି ଜଣା ପଡିଛି । ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ଜମ୍ମୁ-କାଶ୍ମୀର ଗସ୍ତରେ ଯିବାକୁ ଥିବା କେନ୍ଦ୍ର ମନ୍ତ୍ରୀମାନଙ୍କ ଦଳରେ ଏହି ୩ ଜଣ ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାର ୬୦ଟି ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରଠାରୁ କେନ୍ଦ୍ରମନ୍ତ୍ରୀମାନଙ୍କର ସେଠାକୁ ଏହା ହେଉଛି ପ୍ରଥମ ଗସ୍ତ।

ସରକାରୀ ସୂତ୍ରରେ କୁହାଯାଇଛି, ଜମ୍ମୁ-କାଶ୍ମୀରର ବିକାଶ ପାଇଁ ସରକାର ନେବାକୁ ଥିବା ପଦକ୍ଷେପ ଓ ସେହି ଅଞ୍ଚଳର ଉନ୍ନତି ଦିଗରେ ଏ ପର୍ୟ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ସର୍ବସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହି ଗସ୍ତର ମୂଳଲକ୍ଷ୍ୟ। କେନ୍ଦ୍ରମନ୍ତ୍ରୀମାନେ ସେଠାକୁ ଗସ୍ତ ସମୟରେ ସାଧାରଣ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ରାଜ୍ୟରେ ଲାଗୁ ହେବାକୁ ଥିବା ଓ ପୂର୍ବରୁ ଲାଗୁ କରାଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତାରେ ସୂଚନା ଦେବେ।

୨୦୧୮ ମସିହାରେ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଓ ୨୦୧୯ ମସିହାରେ ରାଜ୍ୟର ପୁନର୍ଗଠନ ହେବା ପରେ କରାଯାଉଥିବା ଏହି କାର୍ୟ୍ୟକ୍ରମରେ ୫ଟି କାର୍ୟ୍ୟ ହାତକୁ ନିଆଯିବ । ତାହାମଧ୍ୟରେ ସେହି ଅଞ୍ଚଳର ଦ୍ରୁତ ବିକାଶ କାର୍ଯ୍ୟକ୍ରମ ସ୍ଥାନ ପାଇଛି। ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ ୫୫ଟି କଲ୍ୟାଣକାରୀ ଯୋଜନାର ଶହେ ପ୍ରତିଶତ ସୁଫଳ ମିଳିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୌଳିକ ଭିତ୍ତିଭୂମିର ଦ୍ରୁତ ବିକାଶ, ପ୍ରଧାନମନ୍ତ୍ରୀ ବିକାଶ ଯୋଜନାର କାର୍ଯ୍ୟକାରିତା, ପ୍ରମୁଖ ଓ ବଡ଼ ବଡ଼ ଯୋଜନାଗୁଡ଼ିକର ରୂପାୟନ,ଉତ୍ତମ ଶାସନ ଓ ସମସ୍ତଙ୍କୁ ସମାନ ସୁଯୋଗ ସହ ଅଞ୍ଚଳରେ ଆଇନ ଶୃଙ୍ଖଳାର କାର୍ୟ୍ୟକାରିତା ଆଦି ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଲୋକମାନଙ୍କର ଆୟ ଓ ନିଯୁକ୍ତି ବୃଦ୍ଧିକୁ ଭିତ୍ତିକରି ସେଠାରେ ଉଦ୍ୟୋଗର ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ମଧ୍ୟ କାର୍ୟ୍ୟକ୍ରମ ମଧ୍ୟରେ ସ୍ଥାନ ପାଇଛି।

ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ, ପ୍ରଶାସନିକ ବିଭାଗ ଏବଂ ଡିଭିଜନାଲ୍‍ ଓ ଜିଲ୍ଲାସ୍ତରୀୟ ପ୍ରଶାସନ ମଧ୍ୟରେ ବିନା ବାଧାବିଘ୍ନରେ ସମନ୍ୱୟ ରକ୍ଷା ପାଇଁ ଏକ ଦିନରାତି ୨୪ ଘଣ୍ଟିଆ କେନ୍ଦ୍ରୀୟ କଣ୍ଟ୍ରୋଲ୍‍ ରୁମ୍‍ ସ୍ଥାପନ କରାଯାଇଛି । ଏହାବ୍ୟତୀତ ଏକ ପୃଥକ ହ୍ୱାଟ୍‍ସ୍‍ ଆପ୍‍ ଗ୍ରୁପ୍‍ ମଧ୍ୟ ସ୍ଥାପନ କରାଯାଇଛି, ଯାହା ମାଧ୍ୟମରେ ସମ୍ପୃକ୍ତ ଅଫିସରମାନଙ୍କୁ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ସଚିବ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଅଞ୍ଚଳର ଡିଭିଜନାଲ୍‍ କମିଶନର ଓ ଡେପୁଟି କମିଶନର୍‍ମାନଙ୍କୁ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କମିଶନର୍‍ମାନେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ୟ୍ୟ କରିବେ । ସେମାନଙ୍କ ସହ ପଞ୍ଚାୟତସ୍ତରୀୟ ପ୍ରତିନିଧି ଓ ସର୍ବସାଧାରଣଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

Comments are closed.