ଯାତ୍ରୀ ଅଭାବ: ବନ୍ଦ ହେବ ରାଜ୍ୟରେ ଚାଲୁଥିବା ୩ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବରରୁ ଭଦ୍ରକ, ସମ୍ବଲପୁର, ବ୍ରହ୍ମପୁର ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ବର:ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ ପକ୍ଷରୁ ଜୁନ ୮ରୁ ୩୦ ମଧ୍ୟରେ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ପହିଲାଠାରୁ ୩୧ ଯାଏ ବୃଦ୍ଧି କରାଯାଇଥିଲା।

ତେବେ ଯାତ୍ରୀ ପରିବହନ ପରିଚାଳନାକୁ ସମୀକ୍ଷା କରି ଏବଂ କୋଭିଡ-୧୯ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଦେଖାଗଲା ଯେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି। ଏଥିନିମନ୍ତେ ତିନୋଟି ମାର୍ଗରେ ଯେପରିକି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ-ସମ୍ବଲପୁର ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।


ଏହିଅନୁଯାୟୀ, ୦୮୩୦୩/୦୮୩୦୪- ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରୁ ୧୦ ଜୁଲାଇ ୨୦୨୦ଠାରୁ ବାତିଲ ରହିବ। ୦୮୪୯୨/୦୮୪୯୧- ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ଭଦ୍ରକରୁ ୧୪ ଜୁଲାଇ, ୨୦୨୦ଠାରୁ ବାତିଲ ରହିବ। ସେହିଭଳି ୦୮୪୩୭/୦୮୪୩୮- ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ବ୍ରହ୍ମପୁରରୁ ୧୪ ଜୁଲାଇ ୨୦୨୦ଠାରୁ ବାତିଲ ରହିବ।

Comments are closed.