ପାଲହାଲାନ ଗ୍ରେନେଡ ଆକ୍ରମଣରେ ସଂପୃକ୍ତ ୩ ଆତଙ୍କି ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୂଳା ଜିଲା ଅନ୍ତର୍ଗତ ପାଲହାଲାନ ଠାରେ ନଭେମ୍ବର ୧୭ ତାରିଖରେ ଘଟିଥିବା ଗ୍ରେନେଡ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଆତଙ୍କିଙ୍କର ତିନି ସହଯୋଗୀଙ୍କୁ ଜମ୍ମୁ କାଶ୍ମୀର ପୁଲିସ ଗୁରୁବାର ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ପୁଲିସ ଦୁଇଟି ଗ୍ରେନେଡ ମଧ୍ୟ ଜବତ କରିଛି । ସେମାନଙ୍କୁ ପଚରା ଉଚରା କରିବା ସମୟରେ ନଭେମ୍ବର ୧୭ ଗ୍ରେନେଡ ବିସ୍ଫୋରଣ ଘଟଣାରେ ସେମାନଙ୍କର ସଂପୃକ୍ତି ରହିଥିବା ପୁଲିସ ଜାଣିବାକୁ ପାଇଛି । ବାରାମୂଳା ପୁଲିସ ଏବଂ ସେନା ୨୯ ଆରଆର, ଏସଏସବିର ଦ୍ୱିତୀୟ ବାଟାଲିଅନ ପକ୍ଷରୁ ମିଳିତ ଭାବରେ ଉସାନ ପଟ୍ଟାନ ଅଞ୍ଚଳରେ ନାକାବନ୍ଦୀ କରାଯାଇ ତଲାସି କରାଯାଉଥିବାବେଳେ ନାକା ଦଳ ଆଡକୁ ତିନିଜଣ ଲୋକ ସନ୍ଦେହଜନକ ଭାବରେ ଆସୁଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ସେମାନେ ନାକାଦଳକୁ ଦେଖିବାପରେ ସେଠାରୁ ଦୌଡିବା ଆରମ୍ଭ କରିଦେଇଥିଲେ । ତେବେ ପୁଲିସ ଓ ସୁରକ୍ଷା ବାହିନୀ ଯବାନ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ଏହି ତିନିଜଣ ଆସିଫ ଅହମଦ ରେଶି, ମେହରାଜୁଦ୍ଦିନ ଦର ଏବଂ ଫୈସଲ ହବିବ ଲୋନ ବୋଲି ଚିହ୍ନଟ କରାଯାଇଛି । ସେମାନେ ସମସ୍ତେ ବନ୍ଦିପୋରାର ହାଜିନ ନିକଟ ଗୁଣ୍ଡ ଜେହାଙ୍ଗୀର ଅଞ୍ଚଳର ବାସିନ୍ଦା । ସେମାନେ ପାଲହାଲାନଠାରେ ହୋଇଥିବା ଗ୍ରେନେଡ ଆକ୍ରମଣରେ ସଂପୃକ୍ତ ଏଲଇଟି / ଟିଆରଏଫ ଆତଙ୍କିଙ୍କ ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଛି ।

Comments are closed.