ତିନି ଭଉଣୀଙ୍କର ଗୋଟିଏ ଜନ୍ମ ତାରିଖ

ଲଣ୍ଡନ: ତିନି ଭଉଣୀ, ହେଲେ ଜନ୍ମ ତାରିଖ ଗୋଟିଏ । ସେମାନେ ଯମଜ ମଧ୍ୟ ନୁହଁନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭିନ୍ନ ଭିନ୍ନ ବର୍ଷରେ ସେମାନେ ଜନ୍ମ ହୋଇଥିଲେ ମଧ୍ୟ ସମାନ ମାସର ସମାନ ତାରିଖରେ ସେମାନେ ଜନ୍ମ ହୋଇଛନ୍ତି । ଯେଉଁଥିପାଇଁ ବର୍ଷର ଗୋଟିଏ ତାରିଖରେ ସେମାନେ ନିଜର ଜନ୍ମଦିନ ପାଳନ କରନ୍ତି । ସେମାନଙ୍କର ମା’ କ୍ରିଷ୍ଟିନ ଲାମର୍ଟ କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ତିନି ବର୍ଷ ଅନ୍ତରରେ ତିନିଟି ଝିଅଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେମାନଙ୍କର ଜନ୍ମ ତାରିଖ ସେମାନଙ୍କ ହାତରେ ନଥିଲା । ସୌଭାଗ୍ୟକୁ ତିନି ଝିଅ ଅଗଷ୍ଟ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ବଡ ଝିଅ ସୋଫିଆ ୨୦୧୫ ଅଗଷ୍ଟ ୨୫, ମଝିଆଁ ଝିଅ ଜିଉଲିଆନା ୨୦୧୮ ଅଗଷ୍ଟ ୨୫ ଏବଂ ସାନ ଝିଅ ମିଆ ୨୦୨୧ ଅଗଷ୍ଟ ୨୫ରେ ଜନ୍ମ ହୋଇଥିଲେ । ସମସ୍ତ ସନ୍ତାନଙ୍କୁ ସେ ସ୍ୱାଭାବିକ ଭାବରେ ଜନ୍ମ ଦେଇଥିଲେ । କଥା ସେତିକିରେ ସରିନାହିଁ, ସେମାନଙ୍କର ପୋଷା କୁକୁର କୋଡା ବିୟର ମଧ୍ୟ ଅଗଷ୍ଟ ୨୫ରେ ଜନ୍ମ ହୋଇଥିଲା । ବଡ ଝିଅ ଜନ୍ମ ପୂର୍ବରୁ ଡାକ୍ତରମାନେ ଅଗଷ୍ଟ ୨୩କୁ ତାରିଖ ଦେଇଥିଲେ, କିନ୍ତୁ ଦୁଇଦିନ ବିଳମ୍ବରେ ବଡ ଝିଅ ସୋଫିଆ ଜନ୍ମ ହୋଇଥିଲା । ମଝିଆଁ ଝିଅ ଜନ୍ମ ପୂର୍ବରୁ କ୍ରିଷ୍ଟିନଙ୍କର ରକ୍ତଚାପ ବଢି ଯାଇଥିଲା । ଡାକ୍ତରମାନେ ଅଗଷ୍ଟ ୨୯କୁ ପ୍ରସବ ତାରିଖ ଦେଇଥିଲେ, କିନ୍ତୁ ତାହାର ଚାରିଦିନ ପୂର୍ବରୁ ମଝିଆଁ ଝିଅର ଜନ୍ମ ହୋଇଥିଲା । ସାନ ଝିଅ ଜନ୍ମ ପୂର୍ବରୁ କ୍ରିଷ୍ଟିନା ଅସୁସ୍ଥ ହୋଇପଡିଥିଲେ । ରକ୍ତଚାପ ବଢିଯିବା ସହିତ ତାଙ୍କ ଶରୀର ଫୁଲି ଯାଇଥିଲା । ଡାକ୍ତରମାନେ ତାଙ୍କୁ ସେପ୍ଟେମ୍ବର ୮କୁ ପ୍ରସବ ତାରିଖ ଦେଇଥିଲେ, କିନ୍ତୁ ତାହାର ୧୪ ଦିନ ପୂର୍ବରୁ ସାନ ଝିଅ ମିଆ ଜନ୍ମ ହୋଇଥିଲା । ଏବେ ତିନି ଝିଅ ଗୋଟିଏ ଦିନରେ ଜନ୍ମଦିନ ପାଳନ କରୁଥିବାରୁ ଖୁବ ଖୁସି ଅଛନ୍ତି କ୍ରିଷ୍ଟିନା ।

Comments are closed.