ଯୁକ୍ତ ୩ରେ ହେବ ନାହିଁ ସେମିଷ୍ଟାର ପରୀକ୍ଷା; ସିଲାବସର ୨୫% ପିଲାଏ ଘରେ ପଢ଼ିବେ

ଭୁବନେଶ୍ବର: ଚଳିତ ବର୍ଷ ଆଉ ହେବନାହିଁ ଯୁକ୍ତ ତିନିର ୨ୟ ଓ ୪ର୍ଥ ସେମିଷ୍ଟାର। ସେହିପରି ପିଜି ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ହେବ ନାହିଁ । ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଛାତ୍ରଛାତ୍ରୀଙ୍କୁ ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ । ତେବେ ଚଳିତ ବର୍ଷର ଅବଶିଷ୍ଟ ପାଠ୍ୟକ୍ରମର ୨୫% ପିଲାମାନେ ଘରେ  ଅର୍ଥାତ୍ ସେଲ୍ଫ ଷ୍ଟଡ଼ି କରିବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ ସାହୁ । ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ସହ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ସମ୍ପର୍କରେ ଭିଡ଼ିଓ କନ୍ଫରେନ୍ସିଂ ବୈଠକ କରେ ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ।

ମନ୍ତ୍ରୀ ଡ଼ା. ସାହୁଙ୍କ ସୂଚନା ଅନୁସାରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିନରେ ଥିବା +୩ ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ । ସେହିପରି ସ୍ନାତକୋତ୍ତୀ ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବନାହିଁ। ମାତ୍ର ମେ ୬ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍ ପରୀକ୍ଷା ଏବଂ ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ ।  ଯୁକ୍ତ ୩ର ୬ଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଜୁନ୍ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ କରାଯିବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

ଅନଲାଇନ୍‌, ଅଫଲାଇନ୍ ଏବଂ ପାଠ୍ୟ ପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀମାନେ ଏଗୁଡିକୁ ନିଜେ ପଢ଼ିବେ ଏବଂ ଟ୍ୟୁଟୋରିଆଲ୍ କ୍ଲାସ୍‌ରେ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କର  ସନ୍ଦେହମୋଚନ କରିବେ ।  ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି ।

Comments are closed.