ଆମ୍ ଆଦମୀ ପାର୍ଟିର ତିନି ସାଂସଦଙ୍କୁ ଦିନକ ପାଇଁ ବହିସ୍କାର କଲେ ରାଜ୍ୟସଭା ଅଧ୍ୟକ୍ଷ

କୃଷି ଆଇନ ପ୍ରସଙ୍ଗରେ ରାଜ୍ୟସଭାରେ ବାରମ୍ବାର ହଟ୍ଟଗୋଳ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ରାଜ୍ୟସଭାରେ ବାରମ୍ବାର ହଟ୍ଟଗୋଳ ସୃଷ୍ଟି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆମ୍ ଆଦମୀ ପାର୍ଟି (ଏଏପି)ର ତିନିଜଣ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ବହିସ୍କାର କରିଛନ୍ତି। ସଂସଦର ବଜେଟ୍ ଅଧିବେଶନର ଆଜି ହେଉଛି ତୃତୀୟ ଦିନ ଏବଂ କୃଷକଙ୍କ ପ୍ରସଙ୍ଗରେ ଆଜି ମଧ୍ୟ ଡଟ୍ଟଗୋଳର ସମ୍ଭାବନା ରହିଛି।
ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ ଶୂନ କାଳ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତରେ ଆଲୋଚନା କରିବାକୁ କହିଥିଲେ, ସେତେବେଳେ ତିନିଜଣ ଏଏପି ସାଂସଦ ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ ’କୃଷି ଆଇନ ପ୍ରତ୍ୟାହାର’ ସ୍ଲୋଗାନ ଦେଇଥିଲେ। ଆମ୍ ଆଦମୀ ପାର୍ଟି (ଏଏପି)ର ଏହି ୩ ଜଣ ସାଂସଦ ହେଉଛନ୍ତି ସଞ୍ଜୟ ସିଂ, ସୁଶୀଲ କୁମାର ଗୁପ୍ତା ଏବଂ ଏନଡି ଗୁପ୍ତା।
ଶ୍ରୀ ଭେଙ୍କିୟା ନାଇଡୁ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ କୃଷକଙ୍କ ପ୍ରସଙ୍ଗରେ ବିତର୍କ କରିବାକୁ ସହମତି ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଏହି ସଦସ୍ୟମାନେ ଗୃହର କାର୍ୟ୍ୟଧାରାରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଏମାନେ ପ୍ରକୃତରେ କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ। ସେ ତିନିଜଣ ସଦସ୍ୟଙ୍କୁ ଶାନ୍ତ ହେବାକୁ ଏବଂ ଗୃହ କାର୍ୟ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ତିନିଜଣ ସାଂସଦ ସ୍ଲୋଗାନ ଜାରି ରଖିଥିଲେ।
ଏହା ପରେ ସେ ତିନି ସାଂସଦଙ୍କୁ ନିୟମ ୨୫୫ ଅନୁଯାୟୀ ଗୃହ କାର୍ୟ୍ୟରୁ ବାଦ ଦିଆଯିବାକୁ ଚେତାବନୀ ଦେଇଥିଲେ କିନ୍ତୁ ସଦସ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପଡିନଥିଲା ଏବଂ ସ୍ଲୋଗାନ ଜାରି ରଖିଥିଲେ । ଗୃହର ଅଧ୍ୟକ୍ଷ କହିଛନ୍ତି ଯେ ଏହି ତିନିଜଣ ସଦସ୍ୟଙ୍କୁ ଦିନକ ପାଇଁ ଗୃହ କାର୍ୟ୍ୟରୁ ବାଦ ଦିଆଯାଉଛି ଏବଂ ସେମାନେ ତିନିଜଣ ସଦସ୍ୟଙ୍କୁ ଦିନକ ପାଇଁ ଗୃହ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୯:୩୦ରେ ପାଞ୍ଚ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ।

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୧୯ଟି ପକ୍ଷରୁ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥି ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତରେ ଆଜି ସଂସଦର ଉଭୟ ଗୃହରେ ଆଲୋଚନା ହେବ। ଫେବୃଆରୀ ୮ ରେ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ହୋଇଥିବା ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବେ।

କୃଷକ ଆନ୍ଦୋଳନ ଏବଂ ସେମାନଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ସରକାର ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ହୋଇଥିବା ସହମତି ଅନୁଯାୟୀ, ରାଜ୍ୟସଭାରେ କୃଷକମାନଙ୍କ ସମସ୍ୟା ୧୫ ଘଣ୍ଟା ଧରି ଆଲୋଚନା ହେବ।

Comments are closed.