ଦିନ ୩ଟା ସୁଦ୍ଧା ମୁଖ୍ୟ ସମ୍ବାଦ(ମେ’୬ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ଏକ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି। ତାଙ୍କୁ ଗିରଫ କରିବା ଲାଗି ଏବେ ଦିଲ୍ଲୀ ଆଦର୍ଶ ଟାଉନ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

କେରଳ : କେରଳରେ ମେ’ ୮ ରୁ ୧୬ ଯାଏଁ ଲକଡାଉନ ଘୋଷଣା।

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂହଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ପାଇଁ ଏ ନେଗେଟିଭ୍ ରକ୍ତ ତୁରନ୍ତ ଆବଶ୍ୟକ। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇ ସାହାଯ୍ୟ ଭିକ୍ଷା କରିଛନ୍ତି ‘ଦିଲ୍ ବେଚାରା’ ଅଭିନେତ୍ରୀ ସ୍ୱାସ୍ତିକା ମୁଖାର୍ଜୀ।

ନୂଆଦିଲ୍ଲୀ: ନଭେମ୍ବର ମାସ ବେଳକୁ କରୋନା ମହାମାରୀର ୩ୟ ତରଙ୍ଗ ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପର୍ଯ୍ୟାୟରେ ଯୁବପିଢ଼ିମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ (ଇସି) ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ଅନୁଚିତ ଏବଂ କଠୋର ଦର୍ଶାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ଏପରି ଟିପ୍ପଣୀ ଦେବା ପୂର୍ବରୁ ବିଚାରପତିମାନେ ନିଜ ଉପରେ ସଂଯମତା ରକ୍ଷା କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନୂଆଦିଲ୍ଲୀ: ବୁଧବାର ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ଏହାଦ୍ୱାରା ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୩୦,୧୬୮କୁ ବୃଦ୍ଧିପାଇଛି।

ହାଇଦରାବାଦ: କରୋନା ମହାମାରୀ, ତଦ୍‍ଜନିତ ତାଲାବନ୍ଦ ଭାରତୀୟ ଜନସାଧାରଣଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ସାଂଘାତିକ ପ୍ରଭାବ ପକାଉଛି। ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି।

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣର ୨ୟ ତରଙ୍ଗ ଦ୍ରୁତଗତିରେ ବ୍ୟାପୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ଘୋଷଣା କରିଥିବା ତାଲାବନ୍ଦକୁ ବିରୋଧ କରିଛନ୍ତି କୃଷକ ସଂଗଠନ। ପଞ୍ଜାବର ୩୨ କୃଷକ ସଂଗଠନ ତାଲାବନ୍ଦକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଆସନ୍ତା ୮ ତାରିଖରେ ସେମାନେ ପଞ୍ଜାବରେ ଦୋକାନ ବଜାର ଖୋଲିବାକୁ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି।

ମୁମ୍ବଇ: କରୋନାର ଶିକାର ହୋଇ ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ‘ଛିଛୋରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିଳାଷା ପାଟିଲଙ୍କର କୋଭିଡ଼୍-୧୯ ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୪୭ ବର୍ଷିୟା ଅଭିଳାଷା ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ମୁମ୍ବଇ: ଦେଶରେ କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଦର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍‌ ଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି। ଏଥିପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ବର୍ତ୍ତମାନ ପୁନାୱାଲାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ଏବେ ବ୍ରିଟେନରେ ଅଛନ୍ତି।

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖିଆ ଚୋୖଧୁରୀ ଅଜିତ ସିଂହଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଯୋଧପୁର: ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜସ୍ଥାନର ଯୋଧପୁରସ୍ଥିତ ଏମଡିଏମ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି। କାରାଗାରରେ ଆଶାରାମଙ୍କ ସହିତ ଅନ୍ୟ ୧୨ଜଣ ଅନ୍ତେବାସୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ଖବର

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ  ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେକୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେଆଲୋଚନା କରିଛନ୍ତି।

ଭୁବନେଶ୍ୱର: ତାତିରୁ ମିଳିବ ମୁକ୍ତି ; ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିଚାଳନା ପାଇଁ ୩ ଜିଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି, ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି।

ଭୁବନେଶ୍ଵର: ରାଜ୍ୟରେ ଗୋଟିଏ ଦିନରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: କରୋନାରେ ଆଜି ଆଉ ଜଣେ କରୋନା ଯୋଦ୍ଧାଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ସିଆରପିଏଫ ଡିଆଇଜି ସୁନୀଲ କୁମାର ପାର୍ଥ କରୋନାରେ ଆଖି ବୁଜିଛନ୍ତି। ସେ ସିଆରପିଏଫ ଗ୍ରୁପ ସେଣ୍ଟରର ଡିଆଇଜି ଥିଲେ।

ଭୁବନେଶ୍ଵର: ରାଜଭବନରେ କରୋନା ପ୍ରବେଶ କରିଛି। ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ୮ ବରିଷ୍ଠ ଅଧିକାରୀ ଏହ ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ରାଜଭବନରେ କାର୍ଯ୍ୟରତ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଭୁବନେଶ୍ବର: କରୋନା ପାଇଁ ଅବସରକାଳୀନ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବାର୍ଷିକ ଜୀବନ୍ତ ପ୍ରମାଣପତ୍ର ଦାଖଲ ସମୟସୀମା ତିନିମାସ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୦୨୦ ନଭେମ୍ବର ମାସରୁ ମେ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। କରୋନା ପରିସ୍ଥିତିକୁ ନଜରରେ ରଖି ଅର୍ଥ ବିଭାଗ ଏହି ସମୟସୀମା ଆସନ୍ତା ଜୁନ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

 

Comments are closed.