କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ୩ ପଞ୍ଚାୟତ ୭୨ଘଣ୍ଟା ସଟଡାଉନ

ଗୁରୁଡ଼ିଝାଟିଆ: ଦିନକୁ ଦିନ କରୋନା ମାଡ଼ିଚାଲିଛି। ବାରମ୍ବାର ସଟଡାଉନ ହେଲେ ମଧ୍ୟ ଏହାକୁ ରୋକାଯାଇପାରୁନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟିଖାଲ, ମଞ୍ଚେଶ୍ୱ ଓ କଖଡ଼ି ପଞ୍ଚାୟତ ତ୍ରୟ। ଗତ ଦୁଇଦିନ ତଳେ ଅନୁଷ୍ଠିତ ସ୍ୱାବ ନମୁନା ପରୀକ୍ଷାରେ ମଞ୍ଚେର ପଞ୍ଚାୟତର ନାରଙ୍ଗବସ୍ତ ଓ ବ୍ରାହ୍ମଣବସ୍ତରେ ଦୁଇଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଥିଲେ। ଘଣ୍ଟିଖାଲ ପଞ୍ଚାୟତର ଘଣ୍ଟିଖାଲ ଓ ନିଧିପୁରରେ ଆଠଜଣ ଆକ୍ରାନ୍ତ ହୋଇଥିଲେ ଏବଂ କଖଡ଼ି ପଞ୍ଚାୟତର କାପ୍ତାବରାଇରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯିବା ପରେ କରୋନା ଶୃଙ୍ଖଳକୁ ଭାଙ୍ଗି ଏକ ସୁସ୍ଥ ବାତାବରଣ ଓ ଲୋକମାନଙ୍କ ଭିତରେ ସଚେତନତାର ଭାବ ସୃଷ୍ଟି କରିବା ନିମନ୍ତେ ୩ ପଞ୍ଚାୟତକୁ ୭୨ଘଣ୍ଟା ପର୍ୟ୍ୟନ୍ତ ସଟଡାଉନ କରାଯାଇଛି। କେବଳ ସେତିକି ନୁହେଁ ୩ଟି ଯାକ ପଞ୍ଚାୟତରେ ଅଗ୍ନିଶମ ବାହିନୀ ପକ୍ଷରୁ ଆଗ୍ନିକମାନେ ବିଶୋଧନ କରିଛନ୍ତି। ଏଥି ସହିତ କଖଡ଼ି ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ଘଣ୍ଟିଖାଲ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି ଓ ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ଲାଗି କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛନ୍ତି। ଏହି ସଟଡାଉନ ସମୟରେ କୌଣସି ଲୋକ ଘରୁ ନବାହାରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି।

Comments are closed.