କରୋନା ଅପଡେଟ୍ : ଭାରତରେ ୩୪ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମାରତ୍ମକ କରୋନା ଭାଇରସ୍ ଭାରତରେ ମଧ୍ୟ ତାର କାୟାବିସ୍ତାର କରିବାରେ ଲାଗିଛି। ଭାରତରେ ଶନିବାର ତିନିଟି ନୂଆ କରୋନ ରୋଗୀ ଚିହ୍ନଟ ହେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଥିବା ଜଣାପଡିଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ସଞ୍ଜୀବ କୁମାର ସୂଚନା ଦେଇ କହିଛନ୍ତି ଦେଶରେ ୩ଟି ନୂତନ କରୋନ ଭାଇରସ୍ ସାମ୍ନାକୁ ଆସିଛି। ଏହି କରୋନା ଭୂତାଣୁ ପୀଡିତାଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ନୂତନ ୩ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଲଦାଖର ହୋଇଥିବା ଜଣାପଡିଛି। ସେହି ଦୁଇ ଜଣ ନିକଟରେ ଇରାନରୁ ଫେରିଥିବା ଜଣାପଡିଛି। ଅନ୍ୟ ଜଣେ କରୋନା ଆକ୍ରାନ୍ତ ତାମିଲନାଡୁର ହୋଇଥିବା ବେଳେ ସେ ନିକଟରେ ଓମାନ ଯାତ୍ରା କରିଥିବା ଜଣାପଡିଛି।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କରୋନା ଭାଇରସ୍ (କୋଭିଡ -୧୯) ରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଦ୍ବାରା ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ସମୀକ୍ଷା ବୈଠକରେକେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ବୌଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ଡାକ୍ତଖାନା ମାନଙ୍କରେ ସ୍ୱତନ୍ତ୍ର ୱାର୍ଡ ଏବଂ ପର୍ଯ୍ୟାପ୍ତ ସ୍ଥାନ ଚିହ୍ନଟ ତଥା ରୋଗ ବ୍ୟାପିବା ସମୟରେ ଗୁରୁତର ଚିକିତ୍ସା ପାଇଁ ତୁରନ୍ତ ପ୍ରସ୍ତୁତି କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସନ୍ଦେହଜନକ ମାମଲାର ଶୀଘ୍ର ନମୁନା ପରୀକ୍ଷା ଏବଂ ଇରାନରେ ଉପସ୍ଥିତ ଭାରତୀୟ ନାଗରିକଙ୍କ ଦେଶକୁ ଶୀଘ୍ର ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସଂକ୍ରାମକ ରୋଗର ପରିଚାଳନା ପାଇଁ ଅଗ୍ରୀମ ତଥା ପର୍ଯ୍ୟାପ୍ତ ଯୋଜନା ଏବଂ ଠିକ୍ ସମୟରେ ପ୍ରତିକ୍ରିୟା ଆବଶ୍ୟକ ବୋଲି ସେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ ଯେ ଇରାନରେ କରୋନାଭାଇରସ୍ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୧୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବୈଠକରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ବର୍ତ୍ତମାନର ପରିସ୍ଥିତି ଏବଂ ଏହାର ମୁକାବିଲା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟର ଏପର୍ୟ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ସମସ୍ତ ବିଭାଗର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ କରୋନାଭାଇରସ୍ ସଙ୍କଟର ମୁକାବିଲା ପାଇଁ ଏକ ଠୋସ୍ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଭାରତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ ସମସ୍ତ ବିଭାଗ ପାରସ୍ପରିକ ସମନ୍ୱୟରେ କାର୍ଯ୍ୟ କରିବା ଉଚିତ ଏବଂ ଏହାର ସଂକ୍ରମଣକୁ ରୋକିବା ପାଇଁ ଜନସଚେତନତା ମଧ୍ୟ ନିଆଯିବା ଉଚିତ। ମୋଦୀ କହିଛନ୍ତି ଯେ କରୋନାଭାଇରସ୍ ସହିତ ମୁକାବିଲା ପାଇଁ ଏପର୍ଯ୍ୟନ୍ତ ବିକଶିତ ହୋଇଥିବା ସର୍ବୋତ୍ତମ ପଦକ୍ଷେପଗୁଡିକ ଚିହ୍ନଟ କରାଯାଇ ଗ୍ରହଣ କରାଯିବା ଉଚିତ୍। ଏହା ବ୍ୟତୀତ ସେ ଉପଯୁକ୍ତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଶୀଘ୍ର କାର୍ଯ୍ୟ ହେଉଛି ସର୍ବୋତ୍ତମ ଉପାୟ।

Comments are closed.