ମଙ୍ଗଳବାରଠାରୁ ବିଧାନସଭା: ୩ ମନ୍ତ୍ରୀ, ଉପବାଚସ୍ପତି, ମୁଖ୍ୟ ସଚେତକ କରୋନା ସଂକ୍ରମିତ

ଆସନ୍ତାକାଲି ଅର୍ଥାତ ୨୯ ତାରିଖଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏପରିସ୍ଥିତିରେ ମନ୍ତ୍ରୀ ଓ ବିଧାୟକମାନେ କରୋନା ସଂକ୍ରମିତ ହେବା ଚିନ୍ତା ବଢ଼ାଇଛି । ବିଧାନସଭା ପରିସରରେ ୧୪୫ଜଣ ବିଧାୟକଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏବେସୁଦ୍ଧା ବହୁ ବିଧାୟକ କରୋନା ସଂକ୍ରମିତ ହୋଇସାରିଲେଣି।

ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାୟକ, ବିଧାନସଭା କର୍ମଚାରୀ,ସାମ୍ବାଦିକ, ବିଧାୟକଙ୍କ ପିଏସଓ ଓ ଡ୍ରାଇଭରଙ୍କ କୋଭିଡ୍ ପରୀକ୍ଷା ବ୍ୟବସ୍ଥା ବିଧାନସଭା ପରିସରରେ କରାଯାଇଛି। ଶନିବାର,ରବିବାର ଓ ସୋମବାର ମିଶି ପ୍ରାୟ ପ୍ରାୟ ୧୨୦୦ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ପ୍ରଥମଦିନରେ ୧୩୬ଜଣ, ଦ୍ୱିତୀୟ ଦିନରେ ୧୨ ବିଧାୟକଙ୍କ ସମେତ ୪୮ ଜଣ  କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପବାଚସ୍ପତି ରଜନୀକାନ୍ତ ସିଂ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ସଂକ୍ରମିତ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କଠାରେ ଏବେ ମଧ୍ୟ କରୋନା ଲକ୍ଷଣ ରହିଛି । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ବେହେରା, ନାଉରୀ ନାଏକ, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ଜଗଦେବ,ଅଶୋକ ବଳ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଂକ ବ୍ୟତୀତ ବିଷ୍ଣୁବ୍ରତ ରାଉତରାୟ,ସୁକାନ୍ତ ନାୟକ, ଭାଗିରଥୀ ସେଠୀ ଓ ଦେବୀପ୍ରସାଦ ମିଶ୍ର କରୋନା ପୀଡ଼ିତ ହୋଇଥିଲେ ଏବଂ ସେମାନଙ୍କଠାରେ ଏବେ ବି ଲକ୍ଷଣ ଥିବା କୁହାଯାଉଛି ।

Comments are closed.