ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତର ଗୁଣ୍ଡୁରିସାହି ଗ୍ରାମରୁ ଶନିବାର ବୌଦ୍ଧ ସ୍ନେକ ହେଲପଲାଇନ, ବନ ବିଭାଗ ଏବଂ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ୩ଟି ଅହିରାଜ ସାପ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ପଦ୍ମତୋଳାରେ ସାପଗୁଡିକୁ ଛଡାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟା ସମୟରେ ଗୁଣ୍ଡୁରୁସାହି ଗାଁ ମୁଣ୍ଡରେ ଦୁଇଟି ଅହିରାଜ କନ୍ଦୁକ କ୍ରୀଡା କରୁଥିଲେ। ଗାଁର କିଛି ଲୋକ ଏହି ଦୃଶ୍ୟ ଦେଖିବା ପରେ ଲୋକେ ସାପ ମାରିବାକୁ ମନସ୍ତ କରିଥିଲେ। ମାତ୍ର ଏ ବିଷୟରେ ଯୁବ ସମାଜସେବୀ ସୁଧିର ଦୀପ ଖବର ପାଇ ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ସାପ ମାରିବାକୁ ବାରଣ କରିବା ସହିତ ବୌଦ୍ଧ ସ୍ନେକ ହେଲପଲାଇନ ଏବଂ ବୌଦ୍ଧ ଡିଏଫଓଙ୍କୁ ଖବର ଦେଇଥିଲେ।

ଖବର ପାଇ ବୌଦ୍ଧରୁ ଅରୁଣ କୁମାର ମେଣ୍ଡଳୀଙ୍କ ନେତୃତ୍ୱରେ ସ୍ନେକ ହେଲପଲାଇନର ଏକ ଟିମ ସହିତ ପୁରୁଣା କଟକ ରେଞ ଅଫିସର ନିହାର ରଂଜନ ମଲ୍ଲିକ, ବୌଦ୍ଧ ଏସିଏଫ ଜିତେନ୍ଦ୍ର କୁମାର ବେହେରା, ବନପାଳ ବିଜୟ କୁମାର ସାହୁ, ବନରକ୍ଷୀ ଲାଲକୃଷ୍ଣ ସାହୁ ପ୍ରମୁଖ ଘଟଣାସ୍ଥଳରେ ପଂହଚିଥିଲେ। ସେତେବେଳକୁ ସାପ ଦୁଇଟି ଗାତ ଭିତରେ ପଶି ଯାଇଥିଲେ। ଦୀର୍ଘ ୫ଘଂଟାର ଅପରେସନ ପରେ ଉକ୍ତ ଗାତରୁ ଦୁଇଟି ୧୨ଫୁଟିଆ ଏବଂ ଗୋଟିଏ ୧୦ଫୁଟିଆ ଭଳି ୩ଟି ଅହିରାଜ ସାପକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ବନବିଭାଗ ସହାୟତାରେ ଏକ ବସ୍ତାରେ ପୁରାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡାଯାଇଥିବା ଜଣାପଡିଛି। ସାପ ଧରିବା ଦେଖିବା ପାଇଁ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହୋଇଥିଲେ।

Comments are closed.