ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରିବେ ୩ ଜଣିଆ ବିଚାରପତି ପ୍ୟାନେଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ପ୍ୟାନେଲ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରିବେ। ପ୍ରଧାନ ବିଚାରପତି ଏଥିପାଇଁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ନିଯୁକ୍ତ କରିଛନ୍ତି। ଏହି ପ୍ୟାନେଲର ପ୍ରଥମ ବୈଠକ ଆସନ୍ତା ଶୁକ୍ରବାର ବସିବ ବୋଲି ସୂଚନା ମିଳିଛି।

ପ୍ରଧାନ ବିଚାରପତିଙ୍କ ପରେ ଜଷ୍ଟିସ ଏସ.ଏ. ବୋବଡେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି। ସେ ପ୍ୟାନେଲରେ ୨ଜଣ ବିଚାରପତି ଏନ.ଭି. ରମଣ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନିଯୁକ୍ତ କରିଛନ୍ତି। ଜଷ୍ଟିସ ବୋବଡେ କହିଛନ୍ତି, ତାଙ୍କ ପରେ ଜଷ୍ଟିସ ବାନାର୍ଜୀ ହେଉଛନ୍ତି ବରିଷ୍ଠ ବିଚାରପତି ଏବଂ ସେ ଜଣେ ମହିଳା ବିଚାରପତି ହୋଇଥିବାରୁ ତାଙ୍କୁ ପ୍ୟାନେଲରେ ନିଯୁକ୍ତ କରାଯାଇଛି। ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ଶୁକ୍ରବାର ପ୍ରଥମ ଶୁଣାଣି ହେବ। ସୁପ୍ରିମକୋର୍ଟର ମହାସଚିବଙ୍କୁ ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଗୃହ ଭିତରେ ଏହାର ଶୁଣାଣି କରାଯିବ। ଉଭୟ ପକ୍ଷରୁ କୌଣସି ଓକିଲ ରହିବେ ନାହିଁ। କେତେ ସମୟ ପାଇଁ ତଦନ୍ତ କରାଯିବ ତାହାର କୌଣସି ସମୟସୀମା ନାହିଁ। ତଦନ୍ତରୁ କ’ଣ ନିସ୍କର୍ଷ ବାହାରିବ ତାହାକୁ ଗୋପନୀୟ ରଖାଯିବ। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଷ୍ଟିସ ବୋବଡେ କହିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

Comments are closed.