ପାରା ହତ୍ୟାକାଣ୍ଡ: ପୂର୍ବତନ ବିଜେଡି କାଉନସିଲରଙ୍କ ସମେତ ୩ ଗିରଫ

ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟା ମାମଲାରେ ପୁରୀ ପୁଲିସ ଗୁରୁବାର ଜଣେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବିଜେଡି ନେତା ହେଉଛନ୍ତି ପୂର୍ବତନ କାଉନସିଲର ପ୍ରଦୀପ କୁମାର ନାୟକ ଓରଫ ପିକା। ସେ ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କର ଘନିଷ୍ଠ ବୋଲି ଜଣାପଡ଼ିଛି। ପୂର୍ବରୁ କୁମ୍ଭାରପଡ଼ା ପୁଲିସ ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାଗିରଥୀ ପ୍ରଧାନଙ୍କ ସହିତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିଲେ। ହତ୍ୟାରେ ବ୍ୟବହୃତ ୨ଟି ବନ୍ଧୁକକୁ ବି ପୁଲିସ ଜବତ କରିଥିଲା।
ସୂଚନାଯୋଗ୍ୟ, ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବୋତେଇ ଗ୍ରାମର ପାରା ପୁରୀ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲା। ତା’ ନାମରେ ହତ୍ୟା, ଆକ୍ରମଣ ଭଳି ଏକାଧିକ ମାମଲା ରହିଥିଲା। ପୁଲିସ ତାକୁ ଅନେକ ଥର ଗିରଫ କରି ଜେଲ୍ ପଠାଇବା ପରେ ବି ସେ ଜାମିନରେ ଆସି ପୁଣି ଆପରାଧିକ କାର୍ଯ୍ୟ କରୁଥିଲା। ମାତ୍ର କିଛିମାସ ତଳେ କେତେଜଣ ଦୁର୍ବୃତ୍ତ ତା’କୁ ପୁରୀରେ ଗୁଳି କରି ହତ୍ୟା କରିଥିଲେ। ଏପରି କି ନିମାପଡ଼ା ଏବଂ ଆଖପାଖ ଅଞ୍ଚଳରେ ବି ପାରାର କେତେଜଣ ସହଯୋଗୀ ମୁଣ୍ଡ ଟେକିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲା। ପାରା ଛତ୍ରଛାୟାରେ ରହି ସେମାନେ ନିଜର ପତିଆରା ଜାହିର କରିବା ଲାଗି ଲୋକଙ୍କୁ ଧମକଚମକ ଦେଉଥିଲେ।