ସାତକୋଶିଆରୁ ୩ ଶିକାରୀ ଗିରଫ

ହରିଣ ମାଂସ, ଚମଡା, ସିଙ୍ଗ ଜବତ

ବନ୍ତଳା: ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟରୁ ପୁଣି ୩ଜଣ ଶିକାରୀ ଗିରଫ ହୋଇଥିବା ସୂଚନା ମିଳିଛି।

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳ ସମୟରେ ପୁରୁଣାକୋଟ ବନ୍ୟ ପ୍ରାଣୀ ରେଞ୍ଜର ବାଘମୁଣ୍ଡା ସେକ୍ସନ ଫରେଷ୍ଟର ଚୈତନ୍ୟ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ରାତ୍ରି ପେଟ୍ରୋଲିଂ ସାରି ଫେରୁଥିବା ବେଳେ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଂଟ -୨ ବଡ଼ଖଳି ନିକଟରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ଫାସ ବସାଇଥିବା ଦେଖିଥିଲେ। କିଏ ଏହି ଫାସ ବସାଇଛି ତାହା ଜାଣିବା ପାଇଁ ବନବିଭାଗର କର୍ମଚାରୀ ମାନେ ଲୁଚି ରହିଥିଲେ। ତେବେ ସକାଳ ପ୍ରାୟ ୬.୩୦ ସମୟରେ ଶିକାରୀ ଫାସରେ ଜନ୍ତୁ ପଡିଥିବା ଆଶାରେ ଏହି ସ୍ଥାନକୁ ଶିକାରୀ ଆସିଥିଲା। ପୂର୍ବରୁ ଏହି ଜାଗାରେ ଲୁଚି ରହିଥିବା ବନବିଭାଗର କର୍ମଚାରୀମାନେ ଉକ୍ତ ଶିକାରୀକୁ କାବୁ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ଉକ୍ତ ଯୁବକକୁ ଗିରଫ କରାଯାଇଥିବା ବେଳେ ଯୁବକର ନାମ ନଥିଲା ଭୋଇ(୩୫)ଓ ସେ ଡୋଳାସିଙ୍ଗା ଗାଁର ବାସିନ୍ଦା ବୋଲି ଜଣାପଡିଛି। ତେବେ ଗିରଫ ବେଳେ ଘଟଣା ସ୍ଥଳରୁ ତାଙ୍କପାଖରୁ ଜନ୍ତୁ ଶିକାର ପାଇଁ ନିର୍ମାଣ ହୋଇଥିବା ୫ଟି ଫାସ ସହ ଏକ ଟାଙ୍ଗିଆ ଜବତ ହୋଇଥିଲା। ଅନ୍ୟପକ୍ଷେ ସାତକୋଶିଆ ଅଭୟାରଣ୍ୟ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଅବାଧ ପ୍ରବେଶ ଓ ଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ଯୋଗୁଁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସେହିପରି ଗତ ମଙ୍ଗଳବାର ଦିନ ପୁରୁଣାକୋଟ ବନ୍ୟପ୍ରାଣୀ ରେଞ୍ଜ ପୁରୁଣାକୋଟ ସେକ୍ସନ ପୁରୁଣାକୋଟ(ଏ)ର ଫରେଷ୍ଟଗାର୍ଡ ଡ଼ଲି ଦେହୁରୀ ଓ ତାଙ୍କ କର୍ମଚାରୀ ମାନେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର କୁରୁ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ବେଳେ ଦିନ ପ୍ରାୟ ୨ଟା ସମୟରେ ଜଙ୍ଗଲ ମଧ୍ୟରେ ଏକ ହରିଣର ଚାରିଟି ଗୋଡ଼,ମୁଣ୍ଡ, ଚମଡା,ସିଙ୍ଗ ଓ କଙ୍କାଳ ଦେଖିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁସାରେ ଏହି ସମସ୍ତ ଜିନିଷକୁ ଜବତ କରିବା ସହ ଏକ ମାମଲା ରଜୁ କରି ଏଥି ନେଇ ଏକ ସର୍ଚ୍ଚ ୱାରେଣ୍ଟ ମଧ୍ୟ ଜାରି କରିଥିଲେ।

ପରେ ବିଶେଷ ସୂତ୍ରରୁ ଖବର ପାଇ ପୁରୁଣାକୋଟ ବନ୍ୟପ୍ରାଣୀ ରେଞ୍ଜର ରେଞ୍ଜ ଅଫିସରଙ୍କ ତତ୍ୱାବଧାନରେ ସର୍ଚ୍ଚ ୱାରେଣ୍ଟ ସହ ଗୋପାଳପୁର ନିକଟ କୁଲାଙ୍ଗୀ ଗାଁର ଜୟମଣିଦେହୁରୀ(୩୪)ଙ୍କ ଘରେ ତଲାସୀ କରିଥିଲେ। ଏହି ତଲାସୀ ସମୟରେ ବନବିଭାଗର କର୍ମଚାରୀ ଜୟମଣି ଙ୍କ ଘରେ ଏକ ପଲଥିନ ବ୍ୟାଗରେ ୭କେଜି ହରିଣ ମାଂସ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଜବତ କରିବା ସହ ଏକ ଟାଙ୍ଗିଆ କୁ ମଧ୍ୟ ଜବତ କରିଥିଲେ। ଏ ବିଷୟରେ ଜୟମଣିଙ୍କୁ ଅଧିକ ପଚରାଉଚରା କରିବା ପରେ ସେ ଏହି ମାଂସରୁ କିଛି ମାଂସ ବିକ୍ରି କରିଥିବା ମାନିଥିଲେ। ତେବେ ଏହି ମାଂସ ବଣ୍ଟା ବେଳେ ଘଟଣା ସ୍ଥଳରେ ଗୋପାଳପୁର ଗ୍ରାମର ଋଷି ଭୋଇ(୫୫),ଅଦେଇ ମହାରଥୀ(୪୨),ବିଦ୍ୟାଧର ମହାରଥୀ(୨୮) ଉପସ୍ଥିତ ଥିବା ବେଳେ ବନବିଭାଗ ଋଷି ଭୋଇ କୁ କାବୁ କରିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଥିଲେ।ଏମାନେ ସାତକୋଶିଆ ଅଭୟାରଣ୍ୟ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର କୁରୁ ସଂରକ୍ଷିତ ଅଞ୍ଚଳରେ ପୋଷା କୁକୁର ବ୍ୟବହାର କରି ଏହି ଶିକାର କରି ଆସୁଥିବା ସାତକୋଶିଆ ଡିଏଫଓ ରାମାସ୍ୱାମୀ ପି ସୂଚନା ଦେଇଛନ୍ତି।

Comments are closed.