୧୬ ଦିନରେ ଗୋଟିଏ ପରିବାରର ୩ ମୃତ, ରଘୁନାଥପାଲିରେ କୋକୁଆ ଭୟ

ଗାଁରେ ୨୬ କରୋନା ସଂକ୍ରମିତ, ୨୯ ତାରିଖ ଯାଏ ପଞ୍ଚାୟତ ସଟ୍ଡ଼ାଉନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମରେ  ମାତ୍ର ୧୬ ଦିନ ବ୍ୟବଧାନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଜଣକର ମୃତ୍ୟୁ କାମଳଜନିତ ହୋଇଥିବାବେଳେ ଅନ୍ୟମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏହା ସତ୍ବେ ଗାଁର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମଗ୍ର ପଞ୍ଚାୟତକୁ ୨୯ ତାରିଖ ପର୍ଯ୍ୟନ୍ତ ସଟ୍ ଡ଼ାଉନ ଘୋଷଣା କରାଯାଇଛି ।  ପରିବାରର ଜଣେ ଜଣ୍ଡିସରେ ଅକ୍ରାନ୍ତ ଥିଲେ ଚିକିତ୍ସାଧିନ ଥିଲେ । ତାଙ୍କର ମୃତ୍ୟୁ ହୋଇ ଯାଇଛି । ମୃତକଙ୍କ ସ୍ୱାବ ପରୀକ୍ଷା ହୋଇ ନଥିବା ରୁ ଅନ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ତାଙ୍କର ସେବା ଶୁଶ୍ରୁଷା କରୁଥିବା ଭାଇ କୋରୋନା ସଂକ୍ରମିତ ହୋଇ କୋଭିଡ ଡାକ୍ତରଖାନାରେ ଥିବାରୁ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ, ରଘୁନାଥପାଲିର ସୁଶାନ୍ତ ସରାଫ ଙ୍କ ଗତ ୭ ତାରିଖରେ ମୃତ୍ୟୁ ହୋଇଥିଲା । ସେ ଜଣ୍ଡିସରେ ଅକ୍ରାନ୍ତ ଥିଲେ। ସେ ଚିକିତ୍ସା ପାଇଁ ଭୁବନେଶ୍ବର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।  ଡାକ୍ତରଙ୍କ ପରାମର୍ଶ ନେଇ ୩ ତାରିଖରେ ଗାଁକୁ ଫେରି ନିଜ ଘରେ ରହିଥିଲେ । ମାତ୍ର ଭୁବନେଶ୍ବରରେ ସେ ଯେଉଁଠି ଚିକିତ୍ସିତ ହେଉଥିଲେ ସେଠାରେ ଜଣେ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଥିବା ପ୍ରଚାର ହୋଇଯିବା ପରେ ସୁଶାନ୍ତ ଓ ତାଙ୍କ ସାଙ୍ଗରେ ଭୁବନେଶ୍ବର ଡାକ୍ତରଖାନା ଯାଇଥିବା ସାନ ଭାଇଙ୍କ ସ୍ୱାବ ପରୀକ୍ଷା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନୁରୋଧ  କରାଯାଇଥିଲା ।  ସେହି ଦିନ ଏହା ସମ୍ଭବ ହୋଇ ପାରିନଥିଲା । ଏଣୁ ୭ ତାରିଖରେ ସ୍ୱାବ ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର  ୭ ତାରିଖରେ ହଠାତ ସୁଶାନ୍ତଙ୍କ ଦେହ ଅସୁସ୍ଥ ହୋଇଥିଲା । ଡାକ୍ତରଖାନା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଣୁ ସ୍ୱାବ ସଂଗ୍ରହ କରାଯାଇ ପାରିନଥିଲା । ରଘୁନାଥପାଲି ନିକଟରେ ଥିବା ଶ୍ମଶାନରେ  ତାଙ୍କର ଦାହ ସଂସ୍କାର କରାଯାଇଥିଲା । ପରେ ସୁଶାନ୍ତଙ୍କ ସାନଭାଇଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ୧୨ ତାରିଖରେ ତାଙ୍କର ସ୍ୱାବ ପରୀକ୍ଷା ରିପୋର୍ଟ  ଆସିଥିଲା ଓ ସେ କରୋନା ପଜିଟିଭ୍  ସଂକ୍ରମିତ ଥିବା ଜଣା ପଡିଥିଲା । ତାଙ୍କୁ ତୁରନ୍ତ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନଠାରୁ ସେ କୋଭିଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।  ରଘୁନାଥପାଲିକୁ ସଟଡାଉନ ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ତାଙ୍କର ସଂସ୍ପର୍ଶରେ ଆସିଥିବା ଓ ତାଙ୍କ ସହିତ ଶ୍ମଶାନ  ଯାଇଥିବା,  ତାଙ୍କ ଘରକୁ ଆସିଥିବା ଓ ସଂସ୍ପର୍ଶରେ ଆସିଥିବା ସମସ୍ତ ଙ୍କୁ ଠାବ କରାଯାଇ ବହୁ ଲୋକଙ୍କୁ ରଘୁନାଥପାଲି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ।  ମୃତ ସୁଶାନ୍ତ ଙ୍କ ପରିବାର ସମ୍ପର୍କୀୟ ମାନଙ୍କୁ ସଙ୍ଗରୋଧ କରାଯାଇଥିଲା ।  ସଙ୍ଗରୋଧ କେନ୍ଦ୍ରରେ ଥିବା ସମୟରେ ହିଁ ମୃତ ସୁଶାନ୍ତଙ୍କ ପିଉସୀ ୭୦ବର୍ଷୀୟ ବିଶାଖା ଦେଇ ସାହୁଙ୍କ ଗତ ୨୦ ତାରିଖରେ ମୃତ୍ୟୁ ହୋଇଯାଇ ଥିଲା । ତାଙ୍କୁ ଜ୍ୱର , ଥଣ୍ଡା କାଶ ହେଉଥିଲା । ସଂକ୍ରମିତ ଆଶଙ୍କା ରେ ପ୍ରଶାସନ କୋଭିଡ ମାର୍ଗଦର୍ଶିକା ଅନୁସାରେ ବିଶାଖାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ମାତ୍ର ରିପୋର୍ଟ ଆସିବା ପରେ  ବିଶାଖା କରୋନା  ସଂକ୍ରମିତ ନଥିଲେ ବୋଲି ଜଣା ପଡିଥିଲା ।

ଏହି ସମୟରେ ମୃତ ସୁଶାନ୍ତଙ୍କ ଅନ୍ୟଜଣେ ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ସେ କୋରୋନା ସଂକ୍ରମିତ ବୋଲି ଜଣା ପଡ଼ିଥିଲା । ଏଣୁ ତାଙ୍କୁ ତୁରନ୍ତ ରାଉରକେଲା କୋଭିଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏ ସମ୍ବନ୍ଧରେ ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲ  କହିଛନ୍ତି ଯେ, ରଘୁନାଥପାଲି ସଙ୍ଗରୋଧ କେନ୍ଦ୍ରରେ ଗତ ୨୦ ତାରିଖରେ ମୃତ ମହିଳାଙ୍କ ସ୍ୱାବ ପରୀକ୍ଷାରେ ସଂକ୍ରମିତ ନଥିବା ଜଣା ପଡିଛି । ଏଣୁ ଅନ୍ୟ କୌଣସି ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ । ରାଉରକେଲା କୋଭିଡ ଡାକ୍ତରଖାନାରେ ଝାରସୁଗୁଡ଼ା ରଘୁନାଥପାଲି ର ଜଣେ ଅକ୍ରାନ୍ତ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସବିଶେଷ ସୂଚନା ଦେବେ ବୋଲି ସେ କହିଛନ୍ତି।

Comments are closed.