ଶରଧାବାଲିରେ ତିନିରଥ

ଆଜି ଆଡ଼ପ ମଣ୍ଡପ ବିଜେ

ପୁରୀ : ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ସୋମବାର ଅନୁଷ୍ଠିତ ହୋଇଛି ଦାରୁବ୍ରହ୍ମଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଅପରାହ୍ଣ ୫ଟା ୩୫ସୁଦ୍ଧା ଶରଧାବାଲିରେ ପହଞ୍ଚିଛନ୍ତି ତିନିରଥ। ପରମ୍ପରା ଅନୁଯାୟୀ ରଥ ଉପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି ଶ୍ରୀଜୀଉଙ୍କ ପହଣ୍ଡି, ଛେରାପହଁରା ଏବଂ ରଥଟଣା। କେବଳ ସେବାୟତମାନେ ରଥ ଟାଣିଛନ୍ତି। ଶୃଙ୍ଖଳିତ ସମ୍ପନ୍ନ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ସାନ୍ଧ୍ୟ ଆଇନ କଟକଣାକୁ ସମର୍ଥନ କରିଛନ୍ତି ପୁରୀ ସହରବାସୀ। ତିନିରଥ ବଡ଼ଦାଣ୍ଡରେ ଗଡୁଥିବା ବେଳେ କୌଣସି ବ୍ୟକ୍ତି ଘରୁ ବାହାରି ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମହାପ୍ରଭୁ ରଥ ଉପରୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିବେ।
ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦାରୁବ୍ରହ୍ମଙ୍କ ମଙ୍ଗଳଆଳତି, ଅବକାଶ, ବେଶ ଏବଂ ସକାଳଧୂପ ପରେ ରଥପ୍ରତିଷ୍ଠା କରାଯାଇଥିଲା। ମଙ୍ଗଳାର୍ପଣ ପରେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି। ପ୍ରଥ​‌େ‌ମ ଚକ୍ରରାଜ ଶ୍ରୀସୁଦର୍ଶନ ରଥକୁ ବିଜେ କରିଥିଲେ। ଏହାପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ଗହଣରେ ରଥ ଉପରକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, ମୃଦଙ୍ଗ ଓ ବିଜେ କାହାଳୀ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ପରିସର। ନିର୍ଦ୍ଧାରିତ ସମୟର ପ୍ରାୟ ୨ଘଣ୍ଟା ପୂର୍ବରୁ ଦିନ ୯ଟା ୪୦ରେ ଶେଷ ହୋଇଥିଲା ଦାରୁବ୍ରହ୍ମଙ୍କ ପହଣ୍ଡି। ଏହାପରେ ମଦନମୋହନ ଏବଂ ରାମକୃଷ୍ଣ ରଥ ଉପରେ ବିଜେ କରିଥିଲେ। ଶ୍ରୀଜୀଉଙ୍କୁ ଚିତାଲାଗି କରାଯିବା ସହ ବେଶ କରାଯାଇଥିଲା।
ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୧ଟାରେ ତିନିରଥ ଉପରକୁ ଯାଇ ଛେରାପହଁରା କରିଥିଲେ। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ରଥରୁ ଚାରମାଳ ଫିଟାଯିବା ସହ ଘୋଡା ଏବଂ ସାରଥି ଲଗାଯାଇଥିଲା। ଦିନ ଠିକ୍‌ ୧୨ଟା ୫ରେ ଆରମ୍ଭ ହୋଇଥିଲା ରଥଟଣା। ପାରମ୍ପରିକ ପୋଷାକରେ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ସେବାୟତମାନେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ପ୍ରବଳ ଖରା ସତ୍ତ୍ବେ ଖାଲିପାଦରେ ସେବାୟତମାନେ ନିଷ୍ଠାର ସହ ବଡ଼ଦାଣ୍ଡରେ ରଥ ଟାଣିଥିଲେ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ପୁଲିସ ମହାନିର୍ଦେଶକ ଅଭୟ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଗୁଇନ୍ଦା ଡିଆଇଜି ଅନୁପ କୁମାର ସାହୁ, ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ଏବଂ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରଥଯାତ୍ରା ପରିଚାଳନା ତଦାରଖ କରିଥିଲେ।
ବଡ଼ଦାଣ୍ଡ ଭକ୍ତଶୂନ୍ୟ ଥିବାବେଳେ ରଥଯାତ୍ରା ପାଇଁ ପୁରୀରେ ୬୫ ପ୍ଲାଟୁନ ପୁଲିସ ଦଳ ଏବଂ ୫ଶହରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବାଡ଼ପକାଇ ବନ୍ଦ କରିଥିଲା ପ୍ରଶାସନ। ବଡ଼ଦାଣ୍ଡକୁ ଯିବା ପାଇଁ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇ ନଥିଲା। ପୁରୀ ସହରକୁ ୧୨ଟି ଜୋନ୍‌ କରାଯାଇ ବିଭିନ୍ନ ସ୍ଥାନରେ କାଠବାଡ କରାଯାଇଥିଲା। ସେସବୁ ସ୍ଥାନରେ ସଶସ୍ତ୍ର ପୁଲିସ ଦଳ ମୁତୟନ ହୋଇଥିଲେ। ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ଫଟୋ ଉତ୍ତୋଳନକାରୀ ଯନ୍ତ୍ର ଲଗାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ସ୍ବତନ୍ତ୍ର ତାଲିମପ୍ରାପ୍ତ ସୁରକ୍ଷା ବାହିନୀ ସଜାଗ ହୋଇ ରହିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସେବାୟତଙ୍କ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଗୁଣ୍ଡିଚା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ମୁଖ୍ୟ ପ୍ରଶାସକ ଡ. କୁମାର ଗଣମାଧ୍ୟମକୁ କହିଛନ୍ତି। ପୁରୀ ସହରବାସୀଙ୍କ ଆନ୍ତରିକ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

Comments are closed.