ମୋହନାରେ ଅଘଟଣ : ଘର ଭିତରେ ଥିବା ଅଣ୍ଡର ଗ୍ରାଉଣ୍ଡରେ ପଶି ୩ ଭାଇଙ୍କ ମୃତ୍ୟୁ

ମୋହନା : ଘର ଭିତରେ ଥିବା ଅଣ୍ଡର ଗ୍ରାଉଣ୍ଡରେ ପଶି ୩ ଭାଇଙ୍କ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଅଡବା ଥାନା ବିରିକୋଟ ଗାଁରେ । ଗତକାଲି ରାତି ପାଖାପାଖି ୯ଟା ବେଳେ ଘର ଭିତରେ ଥିବା ଏକ ଅଣ୍ଡର ଗ୍ରାଉଣ୍ଡ ଭିତରୁ କିଛି ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ ୩ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ବିକ୍ରମ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାଅନୁସାରେ ଗତକାଲି ରାତି ୯ ଟା ସମୟରେ ଘର ଭିତରେ ଥିବା ଅଣ୍ଡର ଗ୍ରାଉଣ୍ଡକୁ କିଛି ଜିନିଷ ଆଣିବାପାଇଁ  ପ୍ରଥମେ ମଝିଆ ଭାଇ ସଞ୍ଜୀବ(୨୭) ଯାଇଥିଲେ । ତେବେ ସେଠାରେ ସେ ଅଚେତ ହୋଇପଡିଥିବା ଦେଖି ବଡ ଭାଇ ବିକ୍ରମ(୩୫) ଭିତରକୁ ଯାଇଥିଲେ । ହେଲେ ଦୁଃଖର କଥା ସେ ମଧ୍ୟ ସେଠାରେ ଅଚେତ ହୋଇପଡିଥିଲେ । ଦୁଇ ଭାଇ ଅଚେତ ହୋଇଯିବା ଦେଖି ସାନ ଭାଇ ଜିତୁ(୨୫) ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଚେତ ହୋଇଯାଇଥିଲେ । ୩ ଭାଇ ଆଉ ବାହାରକୁ ନ ଆସିବାରୁ ସାନ ଭଉଣୀ ଏହା ଦେଖି ଚିତ୍କାର କରିଥିଲେ। ଏହାପରେ ପରିବାର ଲୋକେ ଅଣ୍ଡର ‌ଗ୍ରାଉଣ୍ଡରେ ଦଉଡି ପକାଇ ୩ ଭାଇଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଯାଇଥିଲେ । ପରେ ମୋହନା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.