ଜରିମାନା ଦେବାପରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ୩ ବାଇକ ଆରୋହୀ

ଜୟପୁର: ଟ୍ରାଫିକ ନିୟମ ଅମାନ୍ୟ କରି ଗୋଟିଏ ବାଇକରେ ତିନିଜଣ ଯୁବକ ଯାଉଥିଲେ। ସେଥିପାଇଁ ବାଟରେ ଟ୍ରାଫିକ ପୁଲିସ ସେମାନଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲା। କିନ୍ତୁ ତାହାର ପ୍ରାୟ ଘଣ୍ଟାକ ପରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ସେହି ତିନିଜଣ ବାଇକ ଆରୋହୀ ପ୍ରାଣ ହରାଇଲେ।

ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର ବାରମେର ଜିଲାରେ। ପୁଲିସ ପକ୍ଷରୁ କୁହାଯାଇଛି ଯେ ସୋମବାର ଦିନ ଏହି ତିନିଜଣ ଗୋଟିଏ ବାଇକରେ ଯାଉଥିବାବେଳେ ସହର ଭିତରେ ଟ୍ରାଫିକ ପୁଲିସ ସେମାନଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲା। ସେମାନେ ବାଲୋତ୍ରାରୁ ନିଜ ଘରକୁ ଫେରୁଥିଲେ। ସେମାନେ ସମସ୍ତେ ଶ୍ରମିକଶ୍ରେଣୀର ବୋଲି ପୁଲିସ କହିଛି। ତେବେ ସେମାନେ ଜରିମାନା ଦେଇ ନିଜ ଘର ଅଭିମୁଖେ ଦ୍ର୍ରୁତଗତିରେ ଆସୁଥିବାବେଳେ ବାରମେରଠାରୁ ପ୍ରାୟ ୧୨ କିଲୋମିଟର ଦୂର ଏକ ସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ ଚଳାଉଥିବା ବ୍ୟକ୍ତିଜଣକ ନିୟନ୍ତଣ ହରାଇ ରାସ୍ତାକଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯିବାରୁ ତିନିଜଣଯାକ ପଡିଯାଇଥିଲେ। ସେମାନଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.