ନାବାଳକ ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗ ; ୩ ଜଣ ଗିରଫ

ଉତ୍ତର ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ଜଣେ ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଛି। ଉକ୍ତ ଖେଳାଳି ରାଉରକେଲାର ଜଣେ ନାବାଳକ। ତାଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି। ସୋମବାର ଏ ସଂକ୍ରାନ୍ତରେ ସେମାନେ ପୁଲିସ ଉପାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଇନ୍‌ଫୋସିଟି ପୁଲିସ ପ୍ରଥମେ ହାଲକା ଭାବେ ଗ୍ରହଣକରି ୩ ଅଭିଯୁକ୍ତଙ୍କୁ ଥାନାକୁ ଡକାଇବା ପରେ ଛାଡ଼ି ଦେଇଥିବା ଅଭିଯୋଗକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉପାୟୁକ୍ତ ଡ. ଉମାଶଙ୍କର ଦାଶ ଅଭିଯୋଗ ପାଇବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି। ରବିବାର ରାତିରେ ଇନ୍‌ଫୋସିଟି ଥାନାରେ ଏକ ମାମଲା ରୁଜୁ କରା ଯାଇଥିବା ଏବଂ ଥାନା ଅଧିକାରୀ ନିଜେ ତଦନ୍ତ ଭାର ନେଇଥିବା ଉପାୟୁକ୍ତ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ସୋମବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।
ଅଭିଯୁକ୍ତ ୩ ଜଣ ମଧ୍ୟ ଏହି ଦୌଡ଼କୁଦ ମିଟ୍‌​‌େ​ର ଭାଗ ନେଇଥିଲେ। ବରିଷ୍ଠ ଦଳର ତିନି ଅଭିଯୁକ୍ତ ଖେଳାଳି ହେଲେ ରାଉରକେଲା ସେକ୍ଟର ୬ସ୍ଥିତ ବିଦ୍ୟାନଗରର ଆଶିଷ କୁମାର ପାତ୍ର, ସେକ୍ଟର ୫ସ୍ଥିତ ଗୋଲଗଡ଼ ବସ୍ତିର ଜଗନ୍ନାଥ ଦାସ ଓ ସେକ୍ଟର ୧୬ସ୍ଥିତ ଶିବାଜୀ ନଗରର ସୂରଜ ଠାକୁର। ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରବିବାର ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ଉକ୍ତ ବିଶ୍ବବିଦ୍ୟାଳୟରେ ରାଜ୍ୟ ଦୌଡ଼କୁଦ ମିଟ୍‌ ଚାଲିଥିଲା। ଛାତ୍ରାବାସରେ କ୍ରୀଡ଼ାବିତ୍ ରହିଥିଲେ। ରାଉରକେଲା ଅଞ୍ଚଳରୁ ଟିପିଏସ୍‌ର ଏକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଗତ ୯ରେ ରାଉରକେଲା ଦଳର ନାବାଳକ ଧନଞ୍ଜୟ ନାୟକ ଲଙ୍ଗ୍‌ ଜମ୍ପ୍‌ରେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ହେଲେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ରବିବାର ଧନଞ୍ଜୟ ଛିଡ଼ା ହୋଇଥିବାବେଳେ ରାଉରକେଲାର ୩ ଖେଳାଳି ତାଙ୍କୁ ଡାକିଥିଲେ। ସେ ପାଖକୁ ଆସିବା ପରେ ଏକ ଘର ଭିତରେ ତାଙ୍କୁ ଛିଡ଼ା କରାଇ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ କାନ ଧରି କାନ୍ଥରେ ଚୌକି ବସିବା ପାଇଁ କହିଥିଲେ। ସେ ରାଜି ନହେବାରୁ ସେମାନେ ମାଡ଼ମାରିବା ସହ ଉଲଗ୍ନ କରାଇ ଯୌନ ନିର୍ଯାତନା ଦେଇଥିଲେ ଏବଂ ଭିଡିଓ କଲ୍‌ କରି ବିଭିନ୍ନ ଲୋକଙ୍କୁ ଦେଖାଇଥିଲେ। ଏହି ଘଟଣା ତାଙ୍କର କିଛି ସାଙ୍ଗ ଜାଣିବା ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କ ବାପା ମା’ ଖବର ପାଇ ସନ୍ଧ୍ୟାରେ ପହଞ୍ଚି ପୁଅକୁ ଧରି ସ୍ଥାନୀୟ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ରବିବାର ରାତି ପ୍ରାୟ ୧୨.୩୦ଟା ବେଳେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କୁ ଡାକି ଆଣି ପଚରା ଉଚରା ବଦଳରେ ଚାପରେ ପଡ଼ି ଛାଡି ଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ଆଶା ନେଇ ରାଉରକେଲାରୁ ଆସିଥିବା ପରିବାର ଲୋକ ସୋମବାର ପୁଲିସ ଉପାୟୁକ୍ତଙ୍କୁ ସାକ୍ଷାତକରି ସମସ୍ତ ବିଷୟ ଜଣାଇବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳକର ବାପା ଜଣେ ପୁଲିସ କନ୍‌ଷ୍ଟେବଳ। ଅନ୍ୟପକ୍ଷରେ ଘଟଣାର ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଜୋନ୍‌-୬ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି।

Comments are closed.