ସ୍ନାତକ ନାମଲେଖା ପାଇଁ ସରିଲା ଆବେଦନ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୨ ଡିଗ୍ରୀ ମହାବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ଶନିବାର ଶେଷ ହୋଇଛି। ପ୍ରାୟ ୨ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍ନାତକ(+୩) ନାମଲେଖା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷ ୪୧ ହଜାର ୩୩୨ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି। ସେପ୍ଟେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ରୁ ୧୬ ତାରିଖ ମଧ୍ୟରେ ଧାର୍ଯ୍ୟ ମହାବିଦ୍ୟାଳୟରେ ନାମ ଲେଖାଇପାରିବେ। ନାମଲେଖା ଦେୟ ମଧ୍ୟ ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ଦାଖଲ କରିବେ ଛାତ୍ରଛାତ୍ରୀ। ସେହିପରି ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ଦେୟ ଦାଖଲ କରିବେ। ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ୨୨ରୁ ୨୫ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ହାଜିରା ଦେବେ।

ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସରିବା ପରେ ଶିକ୍ଷାନୁଷ୍ଠାନ ଖାଲିଥିବା ସିଟ୍‌(ଆସନ) ତାଲିକା ୱେବ୍‌ସାଇଟ୍‌ରେ ଦାଖଲ କରିବେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଖାଲି ଆସନ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ ଅଗଷ୍ଟ ୨୦ରୁ +୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାମ୍ସ ପୋର୍ଟାଲରେ ବିଦ୍ୟାର୍ଥୀ ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ଆବେଦନ କରିଛନ୍ତି।

Comments are closed.