ଟ୍ରକ ଧକ୍କାରେ ବାଇକ୍‍ ଚୁରମାର, ବାଇକ ଆରୋହୀଙ୍କ ଗୋଡ଼ ଭାଙ୍ଗିଲା

ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ, ଆଉ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା

ଲାଞ୍ଜିଗଡ଼ : ଏପଟେ ରାସ୍ତା ନିର୍ମାଣ ଚାଲିଛି ଯାତାୟତର ସର୍ବୋତ୍ତମ ସୁବିଧା ପାଇଁ। ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଉଥିବାବେଳେ ଏବେ ଏହି ରାସ୍ତା ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ଏହିପରି ଭାବେ ଆଜି ଦିନ ତମାମ ଏକାଦିକ୍ରମେ ତିନୋଟି ଦୁର୍ଘଟଣା ଘଟିବା ପରେ ରାସ୍ତାକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଲାଞ୍ଜିଗଡ ରାଜାପଡାର ଆକାଶ ବାଗ(୨୦) ନାମକ ଜଣେ ଯୁବକ ଏକ ଆପାଚୀ ବାଇକରେ ଭବାନୀପାଟଣାରୁ ଲାଞ୍ଜିଗଡ ଫେରୁଥିବାବେଳେ ବଞ୍ଜାରି ଘାଟି ନିକଟରେ ଏକ ଟ୍ରକ ତାଙ୍କୁ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା। ଏଥିରେ ଆକାଶଙ୍କ ବାମଗୋଡ ଭାଙ୍ଗି ଯାଇଥିବାବେଳେ ତାଙ୍କ ବାଇକ୍‍ ଚୁରମାର ହୋଇଯାଇଥିଲା। ଆକାଶଙ୍କ ବାଇକକୁ ଧକ୍କା ଦେଇ ଟ୍ରକଟି କିଛି ଦୂର ଯିବାପରେ ରାସ୍ତା କଡକୁ ଓଲଟି ପଡ଼ିଥିଲା। ସେହିପରି ଦୁର୍ଘଟଣା ଘଟିଥିବା ସ୍ଥାନର ଆଉ କିଛି ଦୂରରେ ପୁଣି ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଦୁଇଟି ଟ୍ରକର ସାମ୍ନା ପଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିବାବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ନର୍ଲା ଓ ସିକେରକୁପା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇବା ସହ ଆହତ ଡ୍ରାଇଭର ଓ ହେଲ୍ପରଙ୍କୁ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି।  ଅପରପକ୍ଷରେ କିଡିଙ୍ଗଠାରୁ ଶାନ୍ତପୁର ଯାଏଁ ଛଅ ନମ୍ବର ରାଜ୍ୟ ରାଜପଥର ଏହି ସାତ କିମି ରାସ୍ତାକୁ ପିଡବ୍ଲୁଡି ବିଭାଗ ଟେଣ୍ଡରରେ ସାମିଲ କରାଯାଇନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Comments are closed.