ରହସ୍ୟ ଭିତରେ ନିଖୋଜ ଦୁଇ ଯୁବତୀ; ନଦୀରୁ ମିଳୁନି ସୁରାକ, ସ୍ପଷ୍ଟ ହେଉନାହିଁ ଘଟଣା

ବଲାଙ୍ଗିର/ତୁଷୁରା : କୁଆଡେ ଗଲେ ଦୁଇ ଭଉଣୀ ? ନଦୀରେ ଭାସିଗଲେ ନା ଏହାରି ପଛରେ କିଛି ଅନ୍ୟ ରହସ୍ୟ ରହିଛି। ଯଦି ଆତ୍ମହତ୍ୟା ଉଦ୍ୟମ ହୋଇଛି ତେବେ କାହିଁକି ଦୁଇ ଭଉଣୀ ଏକାସଙ୍ଗେ ନଦୀକୁ ଡେଇଁଲେ। ପାରିବାରିକ କଳହ ନା ଆଉ କିଛି। କିଛି ଏମିତି ପ୍ରଶ୍ନ ଭିତରେ ରହସ୍ୟାବୃତ୍ତ ହୋଇରହିଛି ଗୁଡଭେଲାର ଦୁଇ ଯୁବତୀ ଅନମୋଲ ଓ ଆଞ୍ଚଳଙ୍କ ନିଖୋଜ ଘଟଣା। ଘଟଣାର ଦୀର୍ଘ ଘଣ୍ଟା ପରେ ବି ଉଭୟ ଉଦ୍ଧାର ହୋଇପାରିନଥିବାବେଳେ ଅଗ୍ନିଶମ ବିଭାଗ ପ୍ରୟାସ ଜାରି ରଖିଛି। ଗୁଡଭେଲାରୁ ଘଣ୍ଟପଡା, ସୋନପୁର ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପଇଁତରା ମାରିଥିବାବେଳେ ଉଭୟ ଉଦ୍ଧାର ନହେବା, ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲିଦେଇଛି। ତେବେ ସେମାନେ ଜୀବିତ ନା ମୃତ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ତୁଷୁରା – ଗୁଡଭେଲା ରାସ୍ତାରେ ଥିବା ତେଳ ନଦୀରେ କିଛି ଦିନ ଭିତରେ ହୋଇଥିବା ବର୍ଷା ଯୋଗୁ ନଦୀରେ ପାଣିର ସ୍ରୋତ ବୃଦ୍ଧି ପାଇଛି। ଗୁରୁବାର ସକାଳୁ ଏହି ବ୍ରିଜ୍ ଉପରେ ଏକ ସ୍କୁଟି ଓ ଦୁଇ ହଳ ଝିଅଙ୍କ ଚପଲ ପଡିରହିଥିବା ଦେଖିବାକୁ ମିଲିଥିଲା। ଘଟଣା ପବନ ବେଗରେ ସବୁଆଡେ ପ୍ରଚାର ହେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ସ୍କୁଟିର ନମ୍ବର ଯାଞ୍ଚ କରିବା ପରେ ତାହା ଗୁଡଭେଲାର ରାମୋତାର ଅଗ୍ରୱାଲଙ୍କ ବୋଲି ଜଣାପଡିଥିଲା। ଛାନଭିନ ପରେ ଜଣାପଡିଥିଲା ଏହି ସ୍କୁଟି ରାମୋତାର ଅଗ୍ରୱାଲଙ୍କ ଦୁଇ ଝିଅ ଅନମୋଲ ଓ ଆଞ୍ଚଳ ନେଇ ଘରୁ ବାହାରିଥିଲେ। ତେବେ ଏହି ଦୁଇ ଯୁବତୀ ଜଣକ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କିନ୍ତୁ ଘଟଣାକୁ ପାଖାପାଖି ୪୦ଘଣ୍ଟା ବିତିଯାଇଥିଲେ ମଧ୍ୟ ଉକ୍ତ ଦୁଇ ଯୁବତୀଙ୍କ କିଛି ଖୋଜଖବର ମିଲିନାହିଁ। ଯଦି ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି ଉପରେ ନଜର ପକାଇବା ତେବେ ଘଟଣା ରହସ୍ୟ ଭିତରକୁ ଠେଲି ହୋଇଯାଉଥିବା ଅନୁମାନ କରାଯାଉଛି। ପ୍ରଥମ ଦିନରେ କିଛି ସୁରାକ ମିଲିନଥିବାବେଳେ ଦ୍ୱିତୀୟ ଦିନରେ ବି ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲା।

ମିଲିଥିବା ସୂଚନା ଅନୁସାରେ, ଗୁଡ଼ଭେଲା ଦମକଳ ବାହିନୀ, ସଇଁନ୍ତଲା ଦମକଳ ବାହିନୀ ଓ ବଲାଙ୍ଗିର ଓଡ୍ରାଫ ଟିମକୁ ଯୁବତୀଙ୍କ ଅନୁସନ୍ଧାନ ପାଇଁ ନିୟୋଜିତ କରାଯାଇଛି। ଓଡ୍ରାଫ ଟିମ୍ ଆଖପାଖ ଘାଟମାନଙ୍କରେ ଖୋଜାଖୋଜି କରିଥିବାବେଳେ ଅଗ୍ନିଶମ ବିଭାଗର ଟିମ୍ ନଦୀର ତଳମୁଣ୍ଡ ସୋନପୁର, ବୈାଦ୍ଧ ପଟେ ଯାଇ ଖୋଜାଖୋଜି କରିଥିଲେ। ସେହିପରି ଘଟଣାସ୍ଥଳରେ ମଧ୍ୟ ପୁଲିସର ଛାନଭିନ ଜାରି ରହିଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାମୋତାର ଅଗ୍ରୱାଲଙ୍କ ବଡଝିଅର ବିବାହ ପାଇଁ ପ୍ରସ୍ତାବ ଖୋଜାଖୋଜି ଜାରି ରହିଥିଲା। ସାନ ଝିଅର ପାଠପଢା ଚାଲିଥିବା ବେଳେ ଉଭୟ ମିଳିତ ଭାବେ ଆତ୍ମହତ୍ୟା କରିବା ପାଇଁ କାହିଁକି ମନସ୍ଥ କରିବେ ବୋଲି ଆଲୋଚନା ଜୋର ଧରିଛି।

ଉଭୟ ଯୁବତୀଙ୍କ ବଡବାପା ରାମନିବାସ ଅଗ୍ରୱାଲଙ୍କ କହିବା ଅନୁସାରେ, ଘଟଣା ବିଷୟରେ କୈାଣସି ସ୍ପଷ୍ଟ ସୂଚନା ନମିଲିବା ପର୍ଯ୍ୟନ୍ତ କିଛି କହିହେବ ନାହିଁ। ଉଭୟଙ୍କ ଚପଲ ବ୍ରିଜରେ ପଡିରହିଥିବାରୁ ତାଙ୍କୁ କେହି ଅପହରଣ କରିଥାଇପାରନ୍ତି, ସେହିପରି ଯଦି ଉଭୟ ସେଲଫି ନେଉଥିବାବେଳେ ଗୋଡ ଖସି ଦୁର୍ଘଟଣାବଶତଃ ପାଣିରେ ଭାସିଯାଇଥାଇପାରନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହା ସହିତ ପରିବାରିକ କୈାଣସି ସେମିତି ସମସ୍ୟା ନଥିବା ରାମନିବାସ ଅଗ୍ରୱାଲ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଥିବାବେଳେ ଏବେବି ଘଟଣାର ରହସ୍ୟ ଉପରୁ ପରଦା ହଟିନାହିଁ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବ୍ରିଜ ଉପରୁ କେହି ପଡିବା ବିଷୟରେ ସେ ଜାଣିବାକୁ ପାଇଥିଲେ କିନ୍ତୁ ପାଣିର ସ୍ରୋତ ପ୍ରଖର ଥିବାରୁ ସେ କିଛି କରିପାରିନଥିଲେ। ଏନେଇ ଅନ୍ୟମାନଙ୍କୁ ଖବର ଦେବା ପରେ ସେମାନେ ପୁଲିସକୁ ଜଣାଇଥିଲେ ବୋଲି କହିଛନ୍ତି। ଏନେଇ ସ୍ଥାନୀୟ ଓଡ୍ରାଫ ଟିମ୍ ଅଧିକାରୀଙ୍କ କହିବା ଅନୁସାରେ ନଦୀ ଭିତରେ ଖୋଜାଖୋଜି ଚାଲିଛି। କିଛି ସୁରାକ ମିଲିବା ପରେ ହିଁ ଯାହାକିଛି ସ୍ପଷ୍ଟ ସୂଚନା ଦେଇହେବ ବୋଲି କହିଛନ୍ତି। ଉଭୟ ଯୁବତୀଙ୍କ ମୋବାଇଲ ସୁଇଚଅଫ ରହିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କୈାଣସି ସୁରାକ ମିଲିନଥିବା ତଦନ୍ତକାରୀ ଟିମ୍ ଜଣାଇଛନ୍ତି। ଏହି ଘଟଣା ପରେ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଥିବାବେଳେ ଘଟଣାକୁ ପୁଲିସ ସ୍ପଷ୍ଟ କରିବା ପାଇଁ ଦାବି କରିଛନ୍ତି।

Comments are closed.