ମେ ମଧ୍ୟଭାଗରେ ପିକ୍‌ରେ ପହଞ୍ଚିପାରେ କରୋନାର ୨ୟ ତରଙ୍ଗ: ସିଇଏ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଇସାରିଛି। ଦୈନିକ ସଂକ୍ରମଣ ୩ ଲକ୍ଷ ନିକଟତର ହୋଇଗଲାଣି। ଆଗକୁ ବି ଏହା ଆହୁରି ଘାତକ ହେବ। ମେ ମାସରେ ବି କରୋନାର ପ୍ରକୋପ ଜାରି ରହିବ। ତେବେ ଆସନ୍ତା ମାସ ମଧ୍ୟଭାଗରେ ଏହା ପିକ୍‌ ବା ଶୀର୍ଷ ସ୍ତରରେ ପହଞ୍ଚିପାରେ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଏ) କେ.ଭି. ସୁବ୍ରମଣ୍ୟମ।

ସୁବ୍ରମଣ୍ୟମ କହିଛନ୍ତି ଯେ, ସେ କୌଣସି ଏପିଡେମିୟୋଲୋଜିଷ୍ଟ ବା ମହାମାରୀ ବିଶେଷଜ୍ଞ ନୁହନ୍ତି। କିନ୍ତୁ ଏପିଡେମିୟୋଲୋଜି ସମ୍ପର୍କିତ ଅନେକ ପେପର୍‌ ଅଧ୍ୟୟନ କରିଛନ୍ତି। ଆଇଆଇଟି କାନପୁରର ଅନେକ ଉତ୍ତମ ଗାଣିତିକ ମଡେଲିଂ ଏବଂ ଆଇସିଏମଆର ଭଳି ବିଭିନ୍ନ ସଂସ୍ଥାର ଗବେଷଣା ଆଧାରରେ ସେ ଏହା କହିପାରିବେ ଯେ, ଭାରତରେ କୋଭିଡ-୧୯ର ୨ୟ ତରଙ୍ଗର ପିକ୍‌ ବା ଶୀର୍ଷ ସ୍ତର ମେ ମାସ ମଧ୍ୟଭାଗ ସୁଦ୍ଧା ଆସିଯିବ।

ଗତ ମଙ୍ଗଳବାର ଗ୍ରେଟ୍‌ ଲେକ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଦ୍ବାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୁବ୍ରମଣ୍ୟମ ଏହା କହିଥିଲେ। ସେ ଏପିଡେମିୟୋଲୋଜ କ୍ଷେତ୍ରରେ କୌଣସି ବିଶେଷଜ୍ଞ ନୁହନ୍ତି, ତେଣୁ ତାଙ୍କର ଏହି ଆକଳନରେ କିଛି କିନ୍ତୁ-ପରନ୍ତୁ ହୋଇପାରେ।

ସେ ସେ ଆହୁରି କହିଛନ୍ତି ଯେ, ଅର୍ଥବ୍ୟବସ୍ଥା ଉପରେ ଏହି ସଙ୍କଟର ପ୍ରଭାବ ଅଧିକ ପଡ଼ିବ ନାହିଁ। ତାଙ୍କର ଏହି ଆକଳନ ଆଇସିଏମଆର ଭଳି ଅନେକ ସଂସ୍ଥାର ଗବେଷଣା ଉପରେ ଆଧାରିତ ବୋଲି ସୁବ୍ରମଣ୍ୟମ କହିଛନ୍ତି।

Comments
Loading...