ଶେଷ ପର୍ଯ୍ୟାୟରେ ଦ୍ବିତୀୟ ଲହର

ତଥାପି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

ବେଙ୍ଗାଲୁରୁ : ଦେଶର କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବା ନେଇ ଯେଉଁ ଆଶଙ୍କା ବ୍ୟକ୍ତ କରାଯାଇ ଆସୁଥିଲା ତାହା ଏବେ ହ୍ରାସ ପାଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କରୋନାର ନୂଆ ପ୍ରଜାତି ଭୂତାଣୁ ଆସି ନଥିବାରୁ ତୃତୀୟ ଲହର ଆଶଙ୍କା ନାହିଁ। ଅକ୍ଟୋବର ଓ ନଭେମ୍ବର ମାସରେ କରୋନାର ତୃତୀୟ ଲହର ଆସିବା ନେଇ ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ତେବେ ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା ଦେଶରେ କରୋନାର ନୂଆ ପ୍ରଜାତି ଭୂତାଣୁର ଆବିର୍ଭାବ ହୋଇ ନାହିଁ। ନୂଆ ପ୍ରଜାତିର ଭୂତାଣୁ ଆସି ନଥିବାରୁ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ହ୍ରାସ ପାଇଛି। ସାର୍ସ-ସିଓଭି-୨ ଭୂତାଣୁର ଗୁଣସୂତ୍ର ଅନୁଧ୍ୟାନକାରୀ ଦଳର ନୋଡାଲ ଅଧିକାରୀ ଡାକ୍ତର ଭି ରବି କହିଛନ୍ତି ଯେ ନୂଆ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇ ନାହିଁ। ଅନ୍ୟପଟେ ଟିକାକରଣ ଯୋଗୁଁ ଡେଲଟା ପ୍ରଜାତି ଭୂତାଣୁର ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ସେହିପରି କୋଭିଡ-୧୯ ବୈଷୟିକ କମିଟି ଅଧ୍ୟକ୍ଷ ଡାକ୍ତର ଏମ୍‌କେ ସୁଦର୍ଶନ କହିଛନ୍ତି ଯେ ଟିକାକରଣ ଅଭିଯାନ ବୃଦ୍ଧି ପାଇବା ଯୋଗୁଁ ନୂଆ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି।
ଅନ୍ୟପଟେ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଯେ ସଂକ୍ରମଣ ହ୍ରାସ ପାଇବା ସହିତ ଦ୍ବିତୀୟ ଲହର ଶେଷ ପର୍ଯ୍ୟାୟକୁ ଆସିଛି। ତେବେ ଏହି ସଂକ୍ରମଣ ହ୍ରାସକୁ ନେଇ କରୋନାର ବିପଦ ଟଳିଯାଇଛି ବୋଲି କୁହାଯାଇପାରିବ ନାହିଁ। କାରଣ ଅନ୍ୟାନ୍ୟ ଦେଶରେ ଦୁଇରୁ ଅଧିକ ଲହର ଆସିଛି। ଡାକ୍ତର ପଲ କହିଛନ୍ତି ଯେ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ଆମକୁ କରୋନା ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ସମୟ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଶିଶୁମାନଙ୍କ ଟିକାକରଣ ମଧ୍ୟ କରୋନା ନିୟନ୍ତ୍ରଣର ଗୁରୁତ୍ବପୂର୍ଣ୍ଣ ଅଂଶ। ତେଣୁ ଶିଶୁଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। ଦେଶର କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ସୋମବାର ୧୩,୫୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏହି ଦୈନିକ ସଂକ୍ରମଣ ଗତ ୨୩୦ ଦିନ ମଧ୍ୟରେ ସର୍ବନିମ୍ନ। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୮୧,୩୧୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୧୬୬ ଆକ୍ରାନ୍ତଙ୍କର ମୃତ୍ୟୁ ହେବା ସହିତ ମୋଟ ମୃତ୍ୟୁସଂଖ୍ୟା ୪,୫୨,୨୯୦କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧,୮୯,୬୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comments are closed.