କୁମ୍ଭମେଳା ୨୦୨୧: ଦ୍ୱିତୀୟ ସାହିସ୍ନାନ ସଂପନ୍ନ

ଭାଗନେଲେ ପୂର୍ବତନ ନେପାଳ ନରେଶ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଚାଲିଥିବା ଚଳିତ ବର୍ଷର କୁମ୍ଭମେଳାରେ ଆଜି ଦ୍ୱିତୀୟ ସାହି ସ୍ନାନ ଅନୁଷ୍ଠିତ ହୋଇଛି। ଏଥିରେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ସିଂ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ପୂର୍ବତନ ନେପାଳ ନରେଶ ରବିବାର ଦିନ କାଠମାଣ୍ଡୁରୁ ଏଠାରେ ଆସି ପହଞ୍ଚିଥିଲେ। ଉତ୍ତରାଖଣ୍ଡରେ କୋଭିଡ-୧୯ ସଂକ୍ରମଣ ତୀବ୍ର ଗତିରେ ବ୍ୟାପୁଥିବାବେଳେ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯାଇ ଏହି ସାହି ସ୍ନାନ ଅନୁଷ୍ଠିତ ହୋଇଥିଲା।
ହରିଦ୍ୱାର କୁମ୍ଭମେଳା ଦାୟିତ୍ୱରେ ଥିବା ପୋଲିସ ଆଇଜି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶକରି କହିଛନ୍ତି, ଚଳିତ ବର୍ଷ ଦ୍ୱିତୀୟ ଓ ତୃତୀୟ ସାହି ସ୍ନାନ ଗୋଟିଏ ଦିନ ବ୍ୟବଧାନରେ ଆୟୋଜିତ ହେଉଛି। ମହାଶିବ ରାତ୍ରି ଅବସରରେ ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ସାହି ସ୍ନାନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସାହି ସ୍ନାନ ଆଜି ଅର୍ଥାତ ଏପ୍ରିଲ ୧୨ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ତୃତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ସାହି ସ୍ନାନ ଚଳିତ ମାସ ୧୪ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୩ଟି ଆଖଡା ଅଂଶଗ୍ରହଣ କରୁଛନ୍ତି। ସେ କହିଛନ୍ତି ଯେ ୧୩ଟି ଆଖଡାର ଶୋଭାଯାତ୍ରା ରାଜପଥରେ ଆୟୋଜିତ ହେବ ଏବଂ ସେହି ସମୟରେ ରାଜପଥରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯିବନାହିଁ।

Comments are closed.