ଦ୍ବିତୀୟ ପର୍ଯ୍ୟାୟ ଭୋଟ : ତିନି ପ୍ରମୁଖ ଦଳ ମୁଖ୍ୟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର  : ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ନେତାଙ୍କ ସହ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରମୁଖ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗୁରୁବାର ଭୋଟ ଗ୍ରହଣ କରାଯାଉଥିବା ଆସନ ମଧ୍ୟରେ ବିଜେପୁର ଓ ହିଞ୍ଜିଳି ଦୁଇଟି ବିଧାନସଭା ଆସନରୁ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ପାଟଣାଗଡ଼ ବିଧାନସଭା ଆସନରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି।
ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ପ୍ରଦୀପ ଅମାତ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରମିଳା ବିଶୋୟୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ, ଅନିତା ବିଶ୍ବାଳ, ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇପୁଅ କଳିକେଶ ଏବଂ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ ପ୍ରଦୀପ ପୁରୋହିତ, ନବ ଦାସ, ସ୍ନେହାଙ୍ଗିନୀ ଛୁରିଆ, କିଶୋର ମହାନ୍ତି, ରାଧାରାଣୀ ପଣ୍ଡା, ନିରଞ୍ଜନ ପୂଜାରୀ ଓ ବିକ୍ରମକେଶରୀ ଆରୁଖ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ।
ଗୁରୁବାର ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ୩୫ଟି ବିଧାନସଭା ଆସନର ୯,୧୧୭ଟି ବୁଥରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ୩୯, ୪୫, ୦୨୫ ପୁରୁଷ, ୩୭,୪୭,୪୯୩ ମହିଳା ଏବଂ ୬୦୫ ଜଣ ତୃତୀୟ ଲିଙ୍ଗର ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା ଅଛନ୍ତି। ୫ଟି ଲୋକସଭା ପାଇଁ ୩୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ଏହି ପରି ମୋଟ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ମାଓ ପ୍ରଭାବିତ ଅଞ୍ଚଳରେ ସକାଳ ୭ଟାରୁ ୪ଟା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।
ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ଅବ୍ୟବହିତ ପୂର୍ବରୁ ବୁଧବାର କନ୍ଧମାଳରେ ମାଓ ହିଂସାର ଶିକାର ହୋଇଛନ୍ତି ପୋଲିଂ ବୁଥକୁ ଯାଉଥିବା କର୍ମଚାରୀ। ସମାନେ ଗାଡ଼ି ପୋଡ଼ିଦେବା ସହ ଜଣେ ପୁଲିଂ ଅଧିକାରୀଙ୍କୁ ଗୁଳୁ କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଭୋଟ ଗ୍ରହଣ କରାଯିବାକୁ ଥିବା ପ୍ରାୟ ସମସ୍ତ ବୁଥରେ ପୋଲିଂ ଦଳ ପହଞ୍ଚି ସାରିଛନ୍ତି। ଏହି ପର୍ଯ୍ୟାୟରେ ୯୧୧୭ ବୁଥରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ୬୦ ହଜାର ୩୯୩ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ୮୬୩୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୩୭୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ସେହିସବୁ ବୁଥରେ ସୁରକ୍ଷିତ ଭାବେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୭୪୮ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଥିବା ବେଳେ ୮୮୩ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଛି। ସେହିପରି ୬୨୩ଟି ବୁଥରେ ସିସି କ୍ୟାମେରା ବ୍ୟବସ୍ଥା ସହ ୮୯୨ଜଣ ମାଇକ୍ରୋ ଅବଜରଭର ନିୟୋଜିତ ଅଛନ୍ତି। ସବୁ ସେକ୍ସନ ଅଫିସରଙ୍କ ଗାଡ଼ିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା କରାଯାଇଛି।
ଦ୍ବିତୀୟ ପର୍ଯ୍ୟାୟରେ ୧ଲକ୍ଷ ୮ ହଜାର ୪୫୮ ଭିନ୍ନକ୍ଷମ ମତଦାତା ଅଛନ୍ତି। ଏହି ମତଦାତାଙ୍କ ସମେତ ବୃଦ୍ଧ, ବୃଦ୍ଧାଙ୍କୁ ମତଦାନ ବେଳେ ସହାୟତା ପ୍ରଦାନ ପାଇଁ ୧୮ ବର୍ଷରୁ କମ ବୟସର ୧୭,୮୮୨ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।
ପ୍ରଚଣ୍ଡ ରୌଦ୍ରତାପ ଦୃଷ୍ଟିରୁ ବୁଥ ଗୁଡ଼ିକରେ ମତଦାତାଙ୍କ ପାଇଁ ଟେଣ୍ଟ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଚେୟାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ମତଦାନ ସହ ବ୍ରହ୍ମପୁର ଓ ମାଲକାନଗିରିର ଗୋଟିଏ ଲେଖାଏଁ ବୁଥରେ ସାନି ଭୋଟ ଗ୍ରହଣ କରାଯିବ।

Comments are closed.