ଝାଡ଼ଖଣ୍ଡ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି, ମଇଦାନରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସମେତ ବହୁ ହେଭିୱେଟ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ ଆସନ ପାଇଁ ମତଦାନ ହେଉଛି। ସ୍ବତନ୍ତ୍ର, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ମତଦାତାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଗଣତନ୍ତ୍ରକୁ ମଜଭୁତ କରିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଜାମଶେଦ୍‌ପୁର ପୂର୍ବ ଏବଂ ପଶ୍ଚିମ ଆସନରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଅନ୍ୟ ସମସ୍ତ ଆସନରେ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ଭୋଟ ଗ୍ରହଣ ହେବ। ଏହି ୨୦ ଆସନରୁ ୧୬ଟି ଅନୁସୂଚିତ ଜନଜାତି ଏବଂ ଗୋଟିଏ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ଚଳିତ ପର୍ଯ୍ୟାୟରେ ୨୬୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ୪୮ଲକ୍ଷ ୨୫ ହଜାର ୩୮ ଜଣ ମତଦାତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସୁରକ୍ଷା ବ୍ୟବସ୍ଥାରେ ସିଆରସିଏଫ ସମେତ ୪୨ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପିର ବିଦ୍ରୋହୀ ନେତା ସରୟୁ ରାୟ, ବାଚସ୍ପତି ଦିନେଶ ଓରାଓଁ, ମନ୍ତ୍ରୀ ନୀଳକଣ୍ଠ ସିଂହ ମୁଣ୍ଡା, ରାଜ୍ୟ ବିଜେପି ସଭାପତି ଲକ୍ଷ୍ମଣ ଗିଲୁଆ, ଏଜେଏସୟୁ ନେତା ରାମଚନ୍ଦ୍ର ସାହି, ପୂର୍ବତନ ପିସିସି ସଭାପତି ପ୍ରଦୀପ କୁମାର ବାଲମାଚୁ ପ୍ରମୁଖ ହେଭିୱେଟ୍‌ ନେତା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Comments are closed.