ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ : ଆଜିଠୁ ୯ ଯାଏ ବିଧାନସଭା

୩୧ରେ ଗୃହୀତ ହେବ ବ୍ୟୟମଞ୍ଜୁରୀ ବିଲ୍

-ଧାନ ମଣ୍ଡି, ଜଙ୍ଗଲ ନିଆଁ ଓ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ
-ସବୁ ପ୍ରସଙ୍ଗର ଉତ୍ତର ଦେବାକୁ ଶାସକ ଦଳ ପ୍ରସ୍ତୁତ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୈଠକ। ଏପ୍ରିଲ ୯ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ବୈଠକରେ ୨୨ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନ କାଳରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ସବୁ ବିଧାୟକ ଭୁବନେଶ୍ବରରେ ପହଞ୍ଚି ନଥିବାରୁ ଶୁକ୍ରବାର ବିଧିବଦ୍ଧ ଭାବେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ରଣନୀତି ଚୂଡ଼ାନ୍ତ କରାଯିବ ବୋଲି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସୂଚନା ଦେଇଛନ୍ତି।
ଧାନସଂଗ୍ରହରେ ସମସ୍ୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଥିବାବେଳେ ଏହାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା, ବନାଗ୍ନି ଯୋଗୁଁ କୋଟି କୋଟି ମୂଲ୍ୟବାନ ବୃକ୍ଷ ନଷ୍ଟ ହେବା ସହ ଲକ୍ଷଲକ୍ଷ ଜୀବଜନ୍ତୁ ଏବେ ବିପଦରେ। ଜୀବଜନ୍ତୁଙ୍କ ସୁରକ୍ଷାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବେ। ଏହାବ୍ୟତୀତ କୋଟିଆ ପ୍ରସଙ୍ଗ, ଆଇନଶୃଙ୍ଖଳା, ବେକାରୀ ସମସ୍ୟା, ଓଡ଼ିଆ ଭାଷା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ, ସରକାରୀ ଦଳ ରାଜନେତା ଏବଂ ପୁଲିସର ସହଯୋଗରେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଦ୍ବାରା ରାଜଧାନୀରେ ସରକାରୀ ଓ ବେସରକାରୀ ଜମି ଜବରଦଖଲ, ରାଜ୍ୟର ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ଧରି ଜମିଜମା ବନ୍ଦୋବସ୍ତ ନହେବା ଯୋଗୁଁ ଲୋକମାନେ ଭୋଗୁଥିବା ଦୁର୍ଦଶାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ସମ୍ଭାବନା ରହିଛି।
ବିଜେପି ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କୋଟିଆଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସରକାରଙ୍କ ବିଫଳତା, ଧାନ କିଣାରେ ଅବ୍ୟବସ୍ଥା, ବନାଗ୍ନି ରୋକିବାରେ ସରକାରଙ୍କ ବିଫଳତା ଓ ଏଥିଯୋଗୁଁ କ୍ଷୟକ୍ଷତିକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବ। ଏଥିସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ସୁରକ୍ଷା, ବେକାରୀ ସମସ୍ୟା, କୋଭିଡ ପାଇଁ ବନ୍ଦ ହୋଇ ପଡ଼ିଥିବା କ୍ଷୁଦ୍ରଶିଳ୍ପ ସଂସ୍ଥା ଚଲାଇବା ନେଇ ସରକାର ପଦକ୍ଷେପ ନନେବା ଆଦି ଉପରେ ବିଜେପି ସରକାରଙ୍କ ଠାରୁ ଉତ୍ତର ଦାବି କରିବ। ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଫିସରମାନେ କାର୍ଯ୍ୟକାରୀ ନକରି ଇଂରାଜୀରେ ଚିଠି ପତ୍ର ଦେବା ଏବଂ ବିଭାଗ ପକ୍ଷରୁ ଅଧିକାଂଶ ପ୍ରେସ ବିବୃତି ଓଡ଼ିଆରେ ନଆସିବା ଘଟଣାକୁ ବିଜେପି ପ୍ରସଙ୍ଗ କରିବ ବୋଲି ସେ କହିଛନ୍ତି।
ବିରୋଧୀ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଖରିଫ ଧାନକିଣାରେ ସମବାୟ ବିଭାଗ ଅଧିକାରୀ ଓ କର୍ମଚାରୀ, ପ୍ରାଥମିକ ସମବାୟ ସମିତି କର୍ମଚାରୀ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟୋକନ ଥାଇ ମଧ୍ୟ ମଣ୍ଡିରେ ଚାଷୀଙ୍କ ଧାନ ନିଆଯାଉ ନାହିଁ। ଚାଷୀ ଧାନ ବିକ୍ରି କରିପାରୁନଥିବା ବେଳେ ମଣ୍ଡିକୁ ଧାନ ନେଇ ହଇରାଣ ହେଉଛନ୍ତି। ବାଧ୍ୟ ହୋଇ ସେମାନେ ବ୍ୟବସାୟୀଙ୍କୁ କମ ମୂଲ୍ୟରେ ଧାନ ବିକୁଛନ୍ତି। ରାଜ୍ୟରେ ଧାନର ଅଭାବୀ ବିକ୍ରି ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ସେହିପରି ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ ଶିମିଳିପାଳ ସମେତ ବିଭିନ୍ନ ଜଙ୍ଗଲର ପ୍ରାୟ ୩୦ ହଜାର ସ୍ଥାନରେ ନିଆଁ ଲାଗିଛି। ଗୁରୁବାର ଗୋଟିଏ ଦିନରେ ୧୦୪୮ ସ୍ଥାନରେ ନିଆଁ ଲାଗିଥିବା ଭାରତୀୟ ବନ ସର୍ବେକ୍ଷଣ ପକ୍ଷରୁ ତଥ୍ୟ ଦିଆଯାଇଛି। ବହୁ ମୂଲ୍ୟବାନ ବିରଳ ପ୍ରଜାତିର ବୃକ୍ଷ ନଷ୍ଟ ହୋଇଥିବା ବେଳେ ବହୁ ସଂଖ୍ୟକ ଜଙ୍ଗଲୀ ଜୀବଜନ୍ତୁଙ୍କ ମୃତ୍ୟୁ ହେଲାଣି। ବନାଗ୍ନି ଯୋଗୁଁ କେଉଁ ପ୍ରଜାତିର କେତେ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି ସେ ସମ୍ପର୍କରେ ଦଳ ପକ୍ଷରୁ ସରକାରଙ୍କୁ ହିସାବ ମଗାଯିବ। ମହାନଦୀ ଜଳ ସମସ୍ୟା, ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦ବର୍ଷରୁ ଅଧିକ ଦିନ ଧରି ଜମିଜମାର ବନ୍ଦୋବସ୍ତ ନହେବା ଏବଂ ଲୋକମାନେ ବର୍ଷବର୍ଷ ଧରି ଆବାସ ଯୋଜନା ପରି ସରକାରୀ ଯୋଜନାର ସୁବିଧା ନପାଇବା ସମେତ ଭୁବନେଶ୍ବରରେ ପୁଲିସ ସହଯୋଗରେ ଅପରାଧୀମାନେ ସରକାରୀ ଓ ବେସରକାରୀ ଜମି ଦଖଲ କରିବା ଘଟଣାକୁ ବିଧାନସଭାରେ ପ୍ରସଙ୍ଗ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ପ୍ରଥମ ଦିନ ବିଭାଗୀୟ ସ୍ଥାୟୀ କମିଟି ଗୁଡ଼ିକ ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯିବ। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ୧୪ ଦିନ ରଖାଯାଇଛି। ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଧେୟକ ଉପସ୍ଥାପିତ ହେବ। ଅଧିବେଶନ କାଳରେ ୫ଟି ବିଧେୟକ ଆସିବା ସମ୍ଭାବନା ଥିବା ସୂଚନା ମିଳିଛି।

Comments are closed.