୨୨ରେ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତପତପାଣି ଘାଟିରେ ବସ୍‍ ଦୁର୍ଘଟଣା ଘଟି ଆହତ ହୋଇଥିବା ୨୫ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବେ। ସେହିପରି ଘରଠାରୁ ବହୁ ଦୂରରେ ଥିବା ପରୀକ୍ଷା କେନ୍ଦ୍ର ସହର ଯୋଗୁଁ ପରୀକ୍ଷାରୁ ବଞ୍ଚିଟ ହୋଇଥିବା ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ମଧ୍ୟ ସ୍ୱତନ୍ତ୍ର ଓଜେଇଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଉଭୟ ଛାତ୍ରଛାତ୍ରୀ ଆସନ୍ତା ୨୨ ତାରିଖରେ ପରୀକ୍ଷା ଦେବେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍‍.କେ ଚାନ୍ଦ କହିଛନ୍ତି। ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଚାଲିଥିଲା। କରୋନା ଯୋଗୁଁ ପରିବହନ ସୁବିଧା ନଥିବାରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ସହରରେ ପହଞ୍ଚି ପାରି ନଥିଲେ। ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଓଜେଇଇ ପୁଣି ଥରେ ଉପରୋକ୍ତ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେଇଛି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ସହର ପରିବ ର୍ନ କରି ନିକଟସ୍ଥ ସହରରେ ପରୀକ୍ଷା ଦେବାକୁ ଓଜେଇଇ ପକ୍ଷରୁ ମେସେଜ ଜରିଆରେ କୁହାଯାଇଥିଲା।

ସେହିପରି ଗଜପତି ଜିଲାରୁ ପ୍ରାୟ ୩୦ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଧରି ଏକ ବସ୍‍ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଘାଟିରେ ଦୁର୍ଘଟଣା ହୋଇଥିଲା। ଏଥିରେ ୨୫ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଓଜେଇଇ ସୁଯୋଗ ଦେଇଛି। ସେମାନଙ୍କ ପାଇଁ ପାରଳାଖେମୁଣ୍ଡିରେ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ପୂର୍ବରୁ ଓଜେଇଇ ପକ୍ଷରୁ କରାଯାଇ ଥିବା ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।

ଅନ୍ୟପଟେ ଜେଇଇ ମେନ୍‍ କାଉନ୍‍ସିଲିଂ ପଞ୍ଜୀକରଣର ଶେଷ ତାରିଖ ଆସନ୍ତା ୨୬ ତାରିଖ ରହିଛି। ହେଲେ ବିଭିନ୍ନ କାରଣ ଯୋଗୁଁ ଓଜେଇଇ କର୍ତ୍ତୃପକ୍ଷ ଅକ୍ଟୋବର ୩୦କୁ ପଞ୍ଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଏଆଇସିଇଟି ନିର୍ଦେଶାନାମ ଅନୁଯାୟୀ ନଭେମ୍ବର ୧୫ ସୁଦ୍ଧା ନାମଲେଖାର ସବୁ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଥିଲା। ଓଜେଇଇ ନଭେମ୍ବର ୨୨ ସୁଦ୍ଧା ନାମଲେଖାର ସମସ୍ତ ପ୍ରକ୍ରିୟା ସରିବାକୁ ତାରିଖ ନିର୍ଦ୍ଧାରଣ କରିଛି।

Comments are closed.