କରୋନା ଅପଡେଟ୍ : ସୁସ୍ଥ ହୋଇ ଘରକୁ ଫେରିଲେ ୨ୟ ସଂକ୍ରମିତ

୭ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ୪ର୍ଥ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଏମ୍ସରେ ଚିକିତ୍ସିତ ହେଉଥିବା ରାଜ୍ୟର ଦ୍ବିତୀୟ କରୋନା ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ଆଜି ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ଗତକାଲି ତାଙ୍କ ନମୁନା ନେଗେଟିଭ୍ ଆସିଥିଲା। ତେଣୁ ଆଜି ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟଯେ ସମ୍ପୃକ୍ତ ଯୁବକ ଜଣକ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରୁ ​‌ଗତ ମାସ ୧୮ ତାରିଖରେ ଫେରିଥିଲେ। ତେବେ ଜ୍ବର ଓ କାଶ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇ ଥିଲା ଏବଂ ଏହା ପରଦିନ ଆରଏମ୍‌ଆରସିରେ ତାଙ୍କ ନମୁନା ପରୀକ୍ଷା କରାଯିବାରୁ ତାହା ପଜିଟିଭ୍ ଥିବା ଜଣାପଡ଼ିଥିଲା। ତାଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯିବା ସହ ନମୁନା ପରୀକ୍ଷା କରାଯାଇଥିଲା। କିନ୍ତୁ ତାଙ୍କ ପରିବାର ଲୋକଙ୍କ ନମୁନା ନେଗେଟିଭ୍ ଆସିଥିଲା। ତେବେ ଗତମାସ ୧୬ ତାରିଖରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତ ଏପର୍ଯ୍ୟନ୍ତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୨୬ ତାରିଖରେ ଚିହ୍ନଟ ହୋଇଥିବା ତୃତୀୟ ସଂକ୍ରମିତ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତ ଯୁବକ ଜଣକ ଅନ୍ୟ ସଂକ୍ରମିତଙ୍କ ତୁଳନାରେ ବହୁ କମ୍ ସଂଖ୍ୟକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଭଦ୍ରକସ୍ଥିତ ନିଜ ଘରେ ପହଞ୍ଚିବା ପରେ ନମୁନା ପରୀକ୍ଷା ହେବା ପର୍ଯ୍ୟନ୍ତ ସେ ସଙ୍ଗରୋଧରେ ରହିଥିଲେ । ତାଙ୍କ ସମ୍ପର୍କରେ ଆସିଥିବା ୭ ଜଣ ଲୋକଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧ କରାଯାଇଛି। ସମ୍ପୃକ୍ତ ଯୁବକଙ୍କୁ ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଚତୁର୍ଥ ସଂକ୍ରମିତ ଯୁବକ ଦୁବାଇରେ ଚାକିରି କରୁଥିଲେ ଏବଂ ମାର୍ଚ୍ଚ ୧୮ ତାରିଖରେ ଏମିରେଟ୍ସ ବିମାନ ଯୋଗେ ଦୁବାଇରୁ ଆସି କଲକାତାରେ ପହଞ୍ଚିଥିଲେ। ବିମାନବନ୍ଦରରୁ ଟ୍ୟାକ୍ସି ଯୋଗେ ହାୱଡ଼ା ରେଳ ଷ୍ଟେସନ୍‌ରେ ପହଞ୍ଚିବା ପରେ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏସ୍‌-୧୧ କୋଚ୍‌ରେ ଭଦ୍ରକ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ରେଳ ଷ୍ଟେସନରୁ ନିଜ ଘର ପର୍ଯ୍ୟନ୍ତ ସେ ଏକାକୀ ଅଟୋରେ ଯାତ୍ରା କରିଥିଲେ। ଘରେ ପହଞ୍ଚିବା ପର ଠାରୁ ସେ ନିୟମ ଅନୁସାରେ ବାସଗୃହ ସଙ୍ଗରୋଧରେ ରହିଥିଲେ। ୩୦ ତାରିଖରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ୩୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚତୁର୍ଥ ସଂକ୍ରମିତଙ୍କ ରକ୍ତ ନମୁନା ପରୀକ୍ଷା ହେବା ପର୍ଯ୍ୟନ୍ତ ତାଙ୍କ ଶରୀରରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଯାଇନଥିଲା। ତେଣୁ ଯେଉଁ ବ୍ୟକ୍ତି ନିକଟ ଅତୀତରେ ବାହାରୁ ଆସିଛନ୍ତି ସେମାନେ ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାସଗୃହ ସଙ୍ଗରୋଧରେ ରହିବେ ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟାବସ୍ଥାକୁ ନିଜେ ଅନୁଧ୍ୟାନ କରିବେ। ଚତୁର୍ଥ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କୁ ପୃଥକବାସରେ ରଖିବା ସହ ସେମାନଙ୍କର ନମୁନା ପରୀକ୍ଷା କରାଯିବ ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ସଂକ୍ରମିତ ବ୍ୟକ୍ତି ୫୫ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ତୃତୀୟ ସଂକ୍ରମିତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ୪ର୍ଥ ସଂକ୍ରମିତ ଯୁବକ ଜଣକ ନିୟମ ମାନି ଘରେ ରହିଥିବାରୁ ମାତ୍ର ୭ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ପୂର୍ବାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ସର୍ବମୋଟ ୬୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪ ରହିଛି। ଏବେ ୮୮ ଜଣଙ୍କୁ କରୋନା ସନ୍ଦେହରେ ପୃଥକବାସରେ ରଖାଯାଇଛି।

Comments are closed.