ପ୍ରେମିକା ନମ୍ବର -୨ ଗିରଫ

କଟକ: ଅପରାଧରେ ପ୍ରେମିକା! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଜେଲ୍‌ ଭିତରେ ଏବେ ଗ୍ୟାଙ୍ଗଷ୍ଟର ପ୍ରେମିକ; ହେଲେ ଗ୍ୟାଙ୍ଗ୍‌ ଚଳାଉଛନ୍ତି ପ୍ରେମିକା। ନେଟ୍‌ୱର୍କ ବଢ଼ାଇବା ସହ ବଡ଼ବଡ଼ ଅପରାଧ ଲାଗି ରଚୁଛନ୍ତି ବ୍ଲୁ ପ୍ରିଣ୍ଟ। ଗ୍ୟାଙ୍ଗ ଚଳାଇବାରେ ଗୋଟିଏ କି ଦୁଇଟି ନୁହେଁ; ଏକ ସାଙ୍ଗେ ତିନି ତିନିଟି ପ୍ରେମିକାଙ୍କ ସମ୍ପୃକ୍ତି। ଗ୍ୟାଙ୍ଗଷ୍ଟରର ଏକାଧିକ ପ୍ରେମିକାଙ୍କୁ ନେଇ ଏବେ ଚର୍ଚ୍ଚା।

କଟକ ସହରର ଜଣାଶୁଣା ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ। ୨୦୧୧ ମସିହାରେ ଅପରାଧିକ ଜଗତରେ ସେ ପାଦ ଥାପିଥିଲା। ଗ୍ୟାଙ୍ଗ ଗଢ଼ିବା ସହ ଦାଦାବଟି, ଡାକାୟତି ରାହାଜାନି, ଟେଣ୍ଡର ଫିକ୍ସିଂ ଓ ପୁଲିସକୁ ଆକ୍ରମଣ ଭଳି ସଂଗିନ୍‌ ଅପରାଧ ଘଟାଉଥିଲା। ଗୋଟିଏ ଦିନରେ ୨ଟି ସ୍ଥାନରେ ‌ବୋମାମାଡ଼ ଓ ପୁଲିସ ଉପରକୁ ଗୁଳି ଚଳାଇ ୨୦୧୭ ମସିହାରେ ସେ ଚର୍ଚ୍ଚା ପରିସରକୁ ଆସିଥିଲା। ପୁଲିସ ସକିଲକୁ ଧରିବା ଲାଗି ନାକେଦମ୍‌ ହୋଇପଡିଥିଲା। ସକିଲ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଚୌଦ୍ବାର ଜେଲ୍‌ରେ ରହିଛି; ହେଲେ ସହରରେ ଏବେ ତା’ର ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଦାଦାବଟିଠାରୁ ଆରମ୍ଭ କରି ବିଭିନ୍ନ ଅପରାଧ ଘଟାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟମାନେ। ଗ୍ୟାଙ୍ଗକୁ ପରିଚାଳନା କରୁଛନ୍ତି ସକିଲର ପ୍ରେମିକା। ସକିଲ ପୂର୍ବରୁ ସେମାନଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅର୍ଥ ରୋଜଗାରର ବିଭିନ୍ନ ପ୍ରଲୋଭନ ଦେଖାଇଥିଲା। ସେ ଜେଲରେ ରହୁଥିଲେ ମଧ୍ୟ ପ୍ରେମିକାଙ୍କ ସହାୟତାରେ ଅପରାଧ ଜଗତରେ କାୟା ବିସ୍ତାର କରିପାରିଛି। ଜଣେ ନୁହେଁ; ଦୁଇ ଜଣ ପ୍ରେମିକା ତା’ର ଗ୍ୟାଙ୍ଗ ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗୋଟିଏ ଅଞ୍ଚଳରେ ଏହି ଦୁଇ ପ୍ରେମିକାଙ୍କ ଘର। ସେମାନେ ନିର୍ଭୟରେ ଚୌଦ୍ବାର ଜେଲ୍‌କୁ ଯାଇ ସକିଲକୁ ଭେଟିଥା’ନ୍ତି। ତା’ର ଇସାରାରେ ଅପରାଧର ନକ୍ସା ପ୍ରସ୍ତୁତ କରିଥା’ନ୍ତି।

ଏକ ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ଜାନୁଆରୀ ପହିଲା ଦିନ କେଶରପୁର ଅଞ୍ଚଳର ପ୍ରେମିକା ଡେଜି ଓରଫ ନସରିନ୍‌ ଖାନ୍‌କୁ ଗିରଫ କରିଥିଲା। ଡେଜି ଜଣେ ଆଇନଛାତ୍ରୀ ହୋଇଥିଲେ ମଧ୍ୟ ସେ ସକିଲକୁ ସହଯୋଗ କରୁଥିଲା। ସେ ନୂଆ ସହଯୋଗୀ ସଂଗ୍ରହ କରିବା ସହ ଅପରାଧ ଘଟାଇବା ଲାଗି ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିଲା। ପୁଲିସ ଡେଜିକୁ ଗିରଫ କରିବା ପରେ ଦ୍ବିତୀୟ ପ୍ରେମିକାଙ୍କ ସମ୍ପୃକ୍ତି ନେଇ ଜାଣିବାକୁ ପାଇଥିଲା। ଶୁକ୍ରବାର ପୁଲିସ ସକିଲର ଦୁଇ ନମ୍ବର ପ୍ରେମିକା ତଥା କେଶରପୁର ଅଞ୍ଚଳର ରେଶମ୍‌ ଓରଫ ନିଖତ୍‌ ନସିମ୍‌କୁ ଗିରଫ କରିଛି। ରେଶମ୍‌ ନିୟମିତ ବ୍ୟବଧାନରେ ସକିଲକୁ ଚୌଦ୍ବାର ଜେଲ୍‌ରେ ଭେଟୁଥିଲା। ସେ କେଉଁମାନଙ୍କୁ ଦାଦାବଟି ମଗାଯିବ ଓ ସହରର ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ସକିଲକୁ ଦେଉଥିଲା। ସକିଲ ଡେଜି ସହାୟତାରେ ଦାଦାବଟି ମାଗୁଥିଲା। ଡେଜି ଉପରେ ପୁଲିସ ପାୟ ୬ମାସ ହେବ ତୀକ୍ଷ୍ଣ ନଜର ରଖିଥିଲା। ଏପରିକି ଅପରାଧରେ ସାମିଲ ନ ହେବା ପାଇଁ ମଧ୍ୟ ପୁଲିସ ଚେତାବନୀ ଦେଇଥିଲା। ହେଲେ ଏହାକୁ ଖାତିର ନ କରି ସେମାନେ ଲ ଏହିପରି ବହୁ ଝିଅଙ୍କୁ ପ୍ରେମ ଜାଲ୍‌ରେ ଫସାଇ ଅପରାଧରେ ସମ୍ପୃକ୍ତି କରାଉଥିଲା।

ଏପରିକି ସହରରେ ସକିଲର ତୃତୀୟ ପ୍ରେମିକା ଅଛନ୍ତି; ମାତ୍ର ତାଙ୍କର ଅପରାଧରେ କୌଣସି ସମ୍ପୃକ୍ତି ନ ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ହେଲେ ତାଙ୍କ କାର୍ଯ୍ୟକଳାପ ଉପରେ ପୁଲିସ କଡ଼ା ନଜର ରଖିଛି। ରେଶମ୍‌କୁ ପୁଲିସ ପଚରାଉଚରା କରିବା ପରେ ଏହି ଗ୍ୟାଙ୍ଗରେ ୧୦ରୁ ଅଧିକ ଯୁବତୀଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି। ଯେଉଁମାନେ ସକିଲର ପୁରୁଷ ସହଯୋଗୀ ଅଟନ୍ତି ତନ୍ମଧ୍ୟରୁ କେତେକଙ୍କ ପ୍ରେମିକା ମଧ୍ୟ ଅପରାଧରେ ସାମିଲ ହୋଇଛନ୍ତି। ସକିଲର ପ୍ରେମିକାଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ ଅନୁମାନ କରୁଛି।

Comments are closed.