ଶୀତଳ ଭଣ୍ଡାରରେ କେବିକେ ପ୍ରସ୍ତାବିତ କୃଷି ବିଶ୍ୱବିଦ୍ୟାଳୟ ; ବଲାଙ୍ଗିର ଜିଲା ନିରାଶ

-ଭବାନୀପାଟଣାରେ କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରସ୍ତାବ, -ରାଜ୍ୟ ସରକାର‘ଭାତହାଣ୍ଡିକୁ ଲାତ’

ବଲାଙ୍ଗିର : ଶେଷରେ ନିରାଶ ହେଲା ବଲାଙ୍ଗିର ଜିଲା। ଯେଉଁ ଜିଲାର ଲୋକେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ,ରାଜ୍ୟ ସରକାର ତାଙ୍କୁ ଅଣଦେଖା କରିଛନ୍ତି। ପାଟଣା ଶାସନ କାଳ ସମୟରେ ଯେଉଁଠି କୃଷି ସମ୍ପର୍କିତ ସ୍ୱତନ୍ତ୍ର ଭାବେ ଅନୁଷ୍ଠାନ ରହିଥିଲା ସେହି ଅଞ୍ଚଳକୁ ବାଦ ଦିଆଯାଇଛି । ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଜଣାପଡିଲା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ଭାତହାଣ୍ଡିକୁ ଲାତ ମାରିଛନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି।

ସୋମବାର  ସ୍ଥାନୀୟ ଅମଳ ଭବନ ଠାରେ ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ଏ ନେଇ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ,ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ୨୧ ମଇ ୨୦୧୫ ମସିହାରେ ଅନୁଷ୍ଠିତ ବୈଠକର ଆଲୋଚନା ହୋଇଥିଲା। ସେହି ଅନୁଯାୟୀ କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଯୋଜନା, ପର୍ଯ୍ୟାଲୋଚନା ଓ ମୂଲ୍ୟ ନିର୍ଦ୍ଧାରଣ ନିର୍ଦ୍ଦେଶକ ପ୍ରଫେସର ଏସ୍‍. କେ. ରାଉତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ପ୍ରସ୍ତାବ ସମ୍ପର୍କରେ ଶ୍ରୀ ପଣ୍ଡାଙ୍କ ହସ୍ତଗତ ହୋଇଛି।
ଏହି ପ୍ରସ୍ତାବରେ ରାଜ୍ୟର ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ କାର୍ଯ୍ୟାଳୟ ଏବଂ ଉପକୁଳପତିଙ୍କ ସଚିବାଳୟ ଭବାନିପାଟଣାରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରସ୍ତାବ ଅନୁଯାୟୀ ୩ଟି ନୂତନ ମହାବିଦ୍ୟାଳୟର ପ୍ରତିଷ୍ଠା ସହ ଭବାନୀପାଟଣାରେ ଥିବା କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆସନ ସଂଖ୍ୟା ୪୮ରୁ ୯୬କୁ ବୃଦ୍ଧି କରିବାକୁ ଉଲ୍ଲେଖ ରହିଛି। ବଲାଙ୍ଗିରରେ ପ୍ରାଣୀ ବିଜ୍ଞାନ  ଏବଂ ପ୍ରାଣୀ ଚିକିତ୍ସା କଲେଜ, ରାୟଗଡାରେ କୃଷି ଇଂଜିନିୟରିଂ ଓ ଟେକ୍ନୋଲଜି କଲେଜ ଏବଂ କୋରାପୁଟ ସେମିଲିଗୁଡାରେ ଉଦ୍ୟାନ ମହାବିଦ୍ୟାଳୟ ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ରହିବା ସହ ରିଜିଓନାଲ ରିସର୍ଚ୍ଚ ଏଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ -୧, ୨ ଏବଂ ୩ ର ଯଥାକ୍ରମେ ସେମିଲଗୁଡା କୋରାପୁଟ, କାଲିମେଳା ମାଲକାନଗିରି ଏବଂ ଭବାନୀପାଟଣାର ନବୀକରଣ ପ୍ରସ୍ତାବ ରିହିଛି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଚିଠା ଅଧିନିୟମ ୨୦୧୪ ବଳରେ ପ୍ରକ୍ରିୟା ଆରମ୍ଭ କରିଥିଲେ। ରାଜ୍ୟର ଏକମାତ୍ର କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନର ୫୭ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ଉଦାସୀନ ରହି ଏହି ପ୍ରସ୍ତାବକୁ ଶୀତଳ ଭଣ୍ଡାରରେ ପକାଇ ରଖିବା କେତେଦୁର ଯୁକ୍ତି ସଙ୍ଗତ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ମଧ୍ୟରେ ରାଜ୍ୟରେ ଜନସଂଖ୍ୟା ବହୁତ ଅଧିକ ବୃଦ୍ଧି ପାଇଥିଲେ ମଧ୍ୟ ଚାଷପୋଯୋଗୀ ଜମି ମୁଣ୍ଡପିଛା ହାରରେ ଦିନକୁ ଦିନ କମି କମି ଯାଉଛି। ରାଜ୍ୟରେ ୬୦ ପ୍ରତିଶତରୁ ଉର୍ଦ୍ଧ ଲୋକ ବର୍ତ୍ତମାନ ମଧ୍ୟ କୃଷି ଉପରେ ନିର୍ଭରଶୀଳ। ତେଣୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
ବଲାଙ୍ଗିର ଜନସାଧାରଣ ରାଜ୍ୟର ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ବଲାଙ୍ଗିରରେ ସ୍ଥାପନ କରିବା ପାଇଁ ଦାବି ଉପସ୍ଥାପନ କରି ଆସୁଛନ୍ତି। କିନ୍ତୁ ସରକାର ଏହାକୁ ଭ୍ରୁକ୍ଷେପ ନକରି ଯଦି ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବ ପୋଷଣ କରିବେ ତାହା ହେଲେ ବଲାଙ୍ଗିର ଜନସାଧାରଣ ଆଗାମି ଦିନରେ ଉଚିତ ଜବାବ ଦେବେ ବୋଲି ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା କର୍ମି ଶ୍ରୀ ପଣ୍ଡାଙ୍କ ସହ ବଲାଙ୍ଗିର ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର ଓ ଡା.ଗୁରୁଶ୍ରୀ ଘାସିରାମ ମିଶ୍ର ଉପସ୍ଥିତ ରହି ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରିଥିଲେ।

Comments are closed.