ରାୟଗଡ଼ାରେ ମଦ ମୃତ୍ୟୁ ଅଭିଯୋଗ; ୨୦ଦିନରେ ଗଲାଣି ଦୁଇ ଜୀବନ

ରାୟଗଡା : ରାୟଗଡ଼ାରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ଗତ ୨୦ଦିନ ମଧ୍ୟରେ ଗୋଟିଏ ଅଞ୍ଚଳର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ମଦ ଜନିତ ମୃତ୍ୟୁ ବୋଲି ଅଭିଯୋଗ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି । ଅନ୍ୟପକ୍ଷରେ କୌଣସି ପ୍ରକାର ମଦ ମୃତ୍ୟୁ ଘଟିନାହିଁ ବୋଲି ପ୍ରଶାସନ ଓ ଅବକାରୀ ବିଭାଗ ସ୍ପଷ୍ଟ କରିଛି ।
ସୂଚନାଯୋଗ୍ୟ ଦେଶୀ ମଦ ପିଇ ରାୟଗଡା ସହରର ୫ନମ୍ବର ୱାର୍ଡ ହରିଜନ ସାହିରେ ଜଣକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ୫ନମ୍ବର ୱାର୍ଡ ହରିଜନ ସାହିରେ କୁଷ୍ଠ ନାଗ ବାସ କରନ୍ତି। ଗତ ସୋମବାର ଅର୍ଥାତ ୯ତାରିଖ ଦିନ ସେ ନିଜ ସ୍ତ୍ରୀକୁ ମାଡ଼ ମାରି ଘରୁ ଚାଉଳ ନେଇ ମଦ ଦୋକାନରେ ଦେଇ ମଦ ପିଇ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ସେଠାରେ ପହଞ୍ଚି ଏକ ଅଟୋ ଯୋଗେ ଡାକ୍ତରଖାନା ନେବା ପାଇଁ ଉଦ୍ୟମ କଲାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସେ ଗରିବ ଓ ଦିନ ମଜୁରିଆ ହୋଇଥିବାରୁ ଶବ ସତ୍କାର ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ କରାଯାଇ ଶବ ସତ୍କାର କରାଯାଇଥିଲା। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ମଦ ହିଁ ଦାୟୀ ବୋଲି ମୃତ କୁଷ୍ଠ ନାଗଙ୍କ ସ୍ତ୍ରୀ କାଳନ୍ଦୀ ନାଗଙ୍କ ସହ ସ୍ଥାନୀୟ ମହିଳା ଅଭିଯୋଗ କରିଛନ୍ତି । ଏଠାରେ ଦୁଇଟି ମଦ ଦୋକାନ ଥିବାବେଳେ ସେସବୁକୁ ବନ୍ଦ କରିବା ପାଇଁ ଜିଲା ପ୍ରଶାସନକୁ କହିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ମହିଳା ଅଭିଯୋଗ କରିଛନ୍ତି। କେବଳ ଏହି ଘଟଣା ନୁହେଁ, ଗତ ଅକ୍ଟୋବର ୨୧ତାରିଖ ଦିନ ସ୍ଥାନୀୟ ଆଶା ଦିଦି ନଳିନୀ ବିଡିକାଙ୍କ ସ୍ୱାମୀ କ୍ଷୀରୋଦ ବିଡିକା (୩୪)ଙ୍କର ମଧ୍ୟ ମଦ ଯୋଗୁଁ ମୃତ୍ୟୁ ହୋଇଥିବା ଆଶା ଦିଦି ନିଜେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ହରିଜନ ସାହିର କିଛି ଯୁବକ କାମଧନ୍ଦାକୁ ନ ଯାଇ ଦିନ ରାତି ମଦ ପିଇ ବୁଲୁଥିବା ବେଳେ ଘରର ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୨୦ଦିନ ମଧ୍ୟରେ ସେହି ହରିଜନ ସାହିରେ ଦୁଇଜଣଙ୍କ ମଦ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଜିଲା ପ୍ରଶାସନ ଚୁପ ରହିବା ପରିତାପର ବିଷୟ ବୋଲି ଆମ୍ ଆଦମୀ ପାର୍ଟିର ରାଜ୍ୟ ସମ୍ପାଦକ ତଥା ଜିଲା ଆବାହକ ଜନ୍ମେଜୟ ସ୍ୱାଇଁ ପ୍ରକାଶ କରିଛନ୍ତି। ହରିଜନ ସାହିରେ ରହିଥିବା ଦୁଇଟି ମଦ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସ୍ଥାନୀୟ ମହିଳା ଓ କିଛି ଯୁବକ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏହି ମଦ ଦୋକାନ ବନ୍ଦ ନହୁଏ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଓ ସମ୍ପୃକ୍ତ ପରିବାର ପକ୍ଷରୁ ହୋଇଥିବା ମଦ ମୃତ୍ୟୁ ଅଭିଯୋଗ ନେଇ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଭଳି ମଦ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିବା ସହ ମଦ ମୃତ୍ୟୁ ନେଇ କୌଣସି ପ୍ରକାର ଅଭିଯୋଗ ଥାନା କିମ୍ବା ପ୍ରଶାସନ ନିକଟରେ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି । ଏ ନେଇ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ମଦ ମୃତ୍ୟୁକୁ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହ ଏ ନେଇ କୌଣସି ଅଭିଯୋଗ ଆସି ନ ଥିବା ସ୍ପଷ୍ଟ କରିଛନ୍ତି । ତେବେ ମଦ ଦୋକାନ ବନ୍ଦ ଦାବି ନେଇ ଦୃଷ୍ଟି ଆକର୍ଷଣ କରିବାରୁ ଯେଉଁଠି ଚୋରା ମଦ ବିକ୍ରି ହେଉଛି ସେ ସବୁ ଅଞ୍ଚଳରେ ନିୟମିତ ଭାବେ ଚଢ଼ଉ ଚାଲିଥିବା ଓ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି ।

Comments are closed.