ପୋଖରୀରୁ ବାଇକ୍ ସହ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ପୋଖରୀରୁ ଦୁଇଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ କବୀରପୁର ଠାରେ । ମୃତକ ଦ୍ବୟ ହେଲେ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣକଙ୍କ ନାମ ଅଭିଜିତ ଉପାଧ୍ୟାୟ(୨୧) ଓ ଅନ୍ୟ ଜଣେ ସୁଶିଲ ରାୟ(୨୫) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ସେମାନେ ଗତକାଲି ରାତିରୁ ନିଜର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ କବିରପୁର ନିକଟରେ ୨୦ନଂ ଜାତୀୟ ରାଜପଥରେ ଥିବା ବଙ୍କାଣିଆ ରାସ୍ତାରେ ଭାରସାମ୍ୟ ହରାଇ କୌଣସିମତେ ପୋଖରୀ ଭିତରୁ ପଶି ଯାଇଥିଲେ। ତେବେ ଆଜି ସକାଳୁ କିଛି ଲୋକ ପୋଖରୀରେ ହେଲମେଟ ଭାସୁଥିବା ଦେଖିଥିଲେ । ଏଥି ସହ ପୋଖରୀ ନିକଟରେ ବାଇକଟିଏ ପଡିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗ୍ରାମାବାସୀଙ୍କ ସହଯୋଗରେ ବହୁ ଖୋଜାଖୋଜି ପରେ ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Comments are closed.