ଦୁଇଦିନିଆ ସର୍ବଭାରତୀୟ ଧର୍ମଘଟ

0

ଭୁବନେଶ୍ୱର  : ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନଗୁଡ଼ିକ ପକ୍ଷରୁ  ମଙ୍ଗଳବାର ଠାରୁ ୮ ଓ ୯ ଦୁଇଦିନିଆ ସର୍ବଭାରତୀୟ ଧର୍ମଘଟ ଓ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ସଂଗଠନଗୁଡିକ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଆନ୍ଦୋଳନକୁ ବିଜେପିକୁ ବାଦ୍‍ ଦେଇ କଂଗ୍ରେସ, ବିଜେଡି ଓ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ କରୁଥିବାରୁ ରାଜ୍ୟରେ ବନ୍ଦ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବସ୍‍, ରେଳ, ଟ୍ୟାକ୍ସି, ଅଟୋ ଚଳାଚଳ ବନ୍ଦ କରିବାକୁ କହିଥିବାବେଳେ କେବଳ ଆମ୍ବୁଲାନ୍ସ ଓ ଜରୁରୀ ସେବା ଯେଭଳି ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏହାଛଡ଼ା
ଦୋକାନ ବଜାର ବନ୍ଦ ରହିବ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ଶାଖା ସଭାପତି ତଥା ଜାତୀୟ କମିଟିର ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ସମସ୍ତ କର୍ମଚାରୀ ଶ୍ରମିକ ଓ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି। ସାରାଦେଶରେ ଦରଦାମ ବୃଦ୍ଧି ଆଇନଶୃଙ୍ଖଳା ପରିସ୍ଥିତିରେ ଜନସାଧାରଣ ଅତିଷ୍ଠ ହେଲେଣି। ଶ୍ରମିକ କର୍ମଚାରୀଙ୍କ ଆଇନଗତ ଅଧିକାରକୁ ଛିନ୍ନ କରିବା ପାଇଁ ଏନଡିଏ ସରକାରଙ୍କ ତରଫରୁ ଧାରାବାହିକ ଭାବେ ଉଦ୍ୟମ ଚାଲିଛି। ଏହି ଆନ୍ଦୋଳନରେ ଆଇଏନ୍‍ଟିୟୁସି, ସିଆଇଟିୟୁ., ଏଆଇଟିୟୁସି, ଏଚ୍‍ଏମ୍‍ଏସ୍‍ ସମେତ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଭାରତ ବନ୍ଦ ପାଇଁ ଦିଆଯାଇଥିବା ଡାକରାକୁ ସଫଳ କରିବା ପାଇଁ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି। ସେହିଭଳି ସିପିଏମ୍‍ ପକ୍ଷରୁ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି। ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୫୬ ମାସ କ୍ଷମତାରେ ରହିବା ପରେ ବି ତାଙ୍କର ଚରମ ବିଫଳତା ପ୍ରକାଶ ପାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ଯେ, ୨୦୧୮ରେ ଦେଶରେ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି। ଡିସେମ୍ବର ୨୦୧୭ ମସିହା ପର୍ଯ୍ୟନ୍ତ ଦେଶରେ ୪୦ କୋଟି ୭୯ ଲକ୍ଷ ଲୋକ କାମ କରୁଥିଲେ ବୋଲି ରେକର୍ଡରୁ ପ୍ରକାଶ। ମାତ୍ର ୨୦୧୮ ଡିସେମ୍ବରରେ ଏହି ସଂଖ୍ୟା କମି ୩୯ କୋଟି ୭୦ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍‍ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି। ସେହିଭଳି ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏହି ଡାକରା ଦିଆଯାଇଛି ବୋଲି ସିପିଏମ୍‍ର ବରିଷ୍ଠ ଶ୍ରୀ ପତି କହିଛନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ ସିପିଏମର ସୁରେଶ ପାଣିଗ୍ରାହୀ, ସିପିଆଇର ରାମକୃଷ୍ଣ ପଣ୍ଡା, ଆଶିଷ କାନୁନଗୋ, ଯୁଧିଷ୍ଠିର ମହାପାତ୍ର, କିଶୋର ଜେନା ଓ ମହେନ୍ଦ୍ର ପରିଡ଼ା ନିବେଦନ କରିଛନ୍ତି ା

Leave A Reply