ହିଂସା ସତ୍ବେ ଭୋଟରଙ୍କ ମଧ୍ୟରେ ଉତ୍ସାହ, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୯.୨୭% ମତଦାନ

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଜାରି ରହିଛି। ଏହି ପର୍ଯ୍ୟାୟରେ ୩୦ ଆସନ ପାଇଁ ମତଦାନ ଜାରି ରହିଥିବାବେଳେ ୭୫ ଲକ୍ଷ ମତଦାତା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ୨ୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି। ଏହା ସତ୍ବେ ଭୋଟର ଉତ୍ସାହର ସହିତ ମତଦାନ କରୁଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୯.୨୭% ମତଦାନ ହୋଇଛି।

ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ତଥା ହାଇପ୍ରୋଫାଇଲ ଆସନ ନନ୍ଦିଗ୍ରାମ ପାଇଁ ମଧ୍ୟ ଭୋଟଗ୍ରହଣ ଚାଲିଛି। ଏଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଟିଏମସି ଛାଡ଼ି ବିଜେପିରେ ଯୋଗଦାନ କରିଥିବା ଶୁଭେନ୍ଦୁ ଅଧିକାରୀ। ତେଣୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେ କେଶପୁରରେ ୧୭୩ ନମ୍ବର ବୁଥରେ ମହିଳା ପୋଲିଂ ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଟିଏମସି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହିତ ସ୍ଥାନୀୟ ନେତା ତନ୍ମୟ ଘୋଷଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଟିଏମସି କାର୍ଯ୍ୟକର୍ତ୍ତାମାନେ ପରାଜୟ ଭୟରେ ହିଂସା ଘଟାଉଥିବା ତନ୍ମୟ କହିଛନ୍ତି।

Comments are closed.