ଡାକର ପରିଭାଷା ବଦଳିଛି : ଅଶ୍ବିନୀ ବୈଷ୍ଣବ

୩୯୩୩ ଗାଁରେ ମୋବାଇଲ ଟାୱାର ଓ ୨୭୨ ଡାକ କାର୍ଯ୍ୟାଳୟ ସ୍ଥାପନ ଉତ୍ସବ

୧୦ ଆକାଙ୍‌କ୍ଷୀ ଜିଲାରେ ତ୍ବରାନ୍ବିତ ହେବ ୪ଜି ସେବା, ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ଅପହଞ୍ଚ ଇଲାକାରେ ଇଣ୍ଟରନେଟ ସୁବିଧା ତଥା ୪-ଜି ସେବା କିଭଳି ଉପଲବ୍ଧ ହେବ ସେ ନେଇ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଗୁରୁତ୍ବ ଦେଇଛି। ଏହି କ୍ରମରେ ଗୁରୁବାର କେନ୍ଦ୍ର ରେଳବାଇ , ଇଲେ‌େ‌କ୍ଟ୍ରାନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାର ୧୦ଟି ଅାକାଙ୍‌କ୍ଷୀ ଜିଲାରେ ୩୯୩୩ଗ୍ରାମ ରେ ୪ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଟାୱାର ସ୍ଥାପନ ହେଲେ ରାଜ୍ୟର ଅପହଞ୍ଚ ଅଞ୍ଚଳରେ ୪-ଜି ସେବା ତ୍ବରାନ୍ବିତ ହୋଇପାରିବ। ଓଡ଼ିଶାର ବିକାଶ​େର ଏହା ବିଶେଷ ସହାୟକ ହେବ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଡାକର ପରିଭାଷା ବଦଳିଛି। ପୂର୍ବରୁ ଲୋକେ ଡାକିଆ ଡାକ ଲାୟା ବୋଲି କହି ଡାକ ଘରକୁ ସମ୍ବୋଧନ କରୁଥିଲେ। ଏବେ ଏହାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇ ବିଭିନ୍ନ ଯୋଜନାକୁ ସାମିଲ କରୁଛନ୍ତି। ବିଗତ ଦିନରେ ସୁକନ୍ୟା ଯୋଜନାରେ ୯ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି। ଆଗାମୀ ଦିନରେ ଡାକସେବା କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
ଏନେଇ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ‘ସେମି କଣ୍ଡକ୍ଟର ୟୁନିଟ୍’ ପ୍ରତିଷ୍ଠା କରାଗଲେ ପୂର୍ବଭାରତ ସମେତ ଓଡ଼ିଶାର ବିକାଶ ତ୍ବରାନ୍ବିତ ହୋଇପାରିବ। ସେ କହିଥିଲେ ଯେ ମୋଦୀ ସରକାର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସିଲିକା ଓ ମଧୁର ଜଳର ବିଶେଷ ସୁବିଧା ରହିଛି। ତେଣୁ ଓଡ଼ିଶାର ବିକାଶ ପାଇଁ ରାଜ୍ୟରେ ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ୧୦ଟି ଆକାଂଙ୍‌କ୍ଷୀ ଜିଲାରେ ୩ହଜାର ୯୩୩ ଗାଁରେ ୨୩୮୦ଟି ମୋବାଇଲ ଟାୱାର ଏବଂ ୧୧ଟି ଜିଲାରେ ୨୭୨ଟି ନୂତନ ପୋଷ୍ଟ ଅଫିସ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଏହି ଉତ୍ସବରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବିଏସଏନଲ ମୁଖ୍ୟ ମହାପ୍ରବନ୍ଧକ ଓଡ଼ିଶା ହରିଶ ଚନ୍ଦ୍ର ମହାରି, ବଳରାମ ପାଲ-ମୁଖ୍ୟ ମହା ପ୍ରବନ୍ଧକ ଓ ରାଜ୍ୟ ମୁଖ୍ୟ ବିବିଏନଏଲ ଓଡିଶା, ବିଜୟ କୁମାର ନାୟକ, ବରିଷ୍ଠ ଡିଡିଜି, ଶୁଭେନ୍ଦ୍ର ସ୍ବାଇଁ- ମୁଖ୍ୟ ମହା ଡାକପାଳ ଯୋଗଦେଇ ଥିଲେ। ଭାରତ ସରକାରଙ୍କ ଅସଂଯୋଗୀକୁ ସଂଯୋଗୀକରଣ ଯୋଜନାରେ ୫ଟି ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଓ ଓଡିଶାର ୪୪ ଆକାଙ୍‌କ୍ଷୀ ଜିଲାର ୭୨୮୭ ଗ୍ରାମକୁ ୪ଜି ମୋବାଇଲ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ଓଡିଶାର ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି , କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା ଓ ରାୟଗଡ଼ର ୩୯୩୩ ଅସଂଯୋଗୀ ଗ୍ରାମ ପାଇଁ ମୋବାଇଲ ଟାୱାର ସ୍ଥାପନା କରାଯିବ। ଏହି ପ୍ରକଳ୍ପରେ ପ୍ରାୟ ୩୨୧୯ କୋଟି ଖର୍ଚ୍ଚ ହେବ। ଏହା ବାଦ୍ ମାଓଦମନ ଲାଗି ପ୍ରକଳ୍ପ-୨ରେ ଓଡିଶାର ୨ ଟି ଜିଲାରେ ୪୨୧.୬୬ କୋଟି ଟଙ୍କା ବ୍ୟୟ ଅଟକଳରେ ୪୮୩ଟି ମୋବାଇଲ ଟାୱାରର ସ୍ଥାପନ ଚାଲିଛି ଏହା ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଭାରତ ସରକାରଙ୍କ ଅନୁମୋଦନକ୍ରମେ ଓଡ଼ିଶାର ୧୧ଟି ମାଓ ପ୍ରଭାବିତ ଜିଲାରେ ୨୭୨ଟି ନୂଆ ଡାକଘର ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଖୋଲାଯିବ। ଆଜି ପର୍ଯ୍ୟନ୍ତ ଏହି ଆଦେଶରେ ୧୨୮ଟି ଡାକଘର ୨୦୨୧ ଅକ୍ଟୋବରଠାରୁ ଡିସେମ୍ବର ମଧ୍ୟରେ ଖୋଲାଯାଇଛି। ଅବଶିଷ୍ଟ ୧୪୪ଟି ପର୍ଯ୍ୟାୟ କ୍ରମେ ୩୧୦୩, ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଏହି ଡାକଘର ପାଇଁ ୫୪୪ ଜଣ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୧୦ଟି ଅାକାଙ୍‌କ୍ଷୀ ଜିଲାର ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

Comments are closed.