ଅଟୋରେ ୨୭ ଯାତ୍ରୀ: ପୁଲିସ ହତବାକ୍, ଭିଡିଓ ଭାଇରାଲ୍‌

ଫତେହପୁର: ଉତ୍ତରପ୍ରଦେଶର ଫତେହପୁରରୁ ରବିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଅଟୋରୁ ପୁଲିସ ଜଣଙ୍କ ପରେ ଜଣେ କରି ୨୭ ଜଣ ଯାତ୍ରୀଙ୍କୁ ବାହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଗୋଟିଏ ଅଟୋରେ ଚାଳକ ସମେତ ୨୭ ଜଣ ଲୋକ ବସିଥିବା ଦେଖି ପୁଲିସ ମଧ୍ୟ ହତବାକ୍ ହୋଇଯାଇଥିଲା। ଅଟୋରେ ଥିବା ସମସ୍ତ ଯାତ୍ରୀ ମହରହା ନିବାସୀ ଓ ସେମାନେ ବକ୍ରିଦ୍‌ ନମାଜ ପାଇଁ ବିନ୍ଦକୀ ଆସିଥିବା କୁହାଯାଉଛି। ଟ୍ରାଫିକ୍ ନିୟମକୁ କେତେଦୂର ଉଲ୍ଲଂଘନ କରାଯାଇପାରେ ଏହା ତାହାର ଏକ ଜୀବନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି।


ବିନ୍ଦକୀ ଥାନା ଅନ୍ତର୍ଗତ ଲଲୌଲୀ ଛକ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ଛକରେ ମୁତୟନ ହୋଇଥିବା ପୁଲିସର ନଜର କ୍ଷିପ୍ର ଗତିରେ ଆସୁଥିବା ଏକ ଅଟୋ ଉପରେ ପଡ଼ିଥିଲା। ପୁଲିସ ନଜରର ବର୍ତ୍ତିବାକୁ ଚାଳକ କ୍ଷିପ୍ର ଗତିରେ ପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସ ଦୌଡ଼ି ଯାଇ ଅଟୋକୁ ଅଟକାଇଥିଲା। ଏହାପରେ ପୁଲିସ ଜଣ ଜଣ କରି ମହିଳା ଓ ଶିଶୁ ସମେତ ମୋଟ୍‌ ୨୭ ଜଣଙ୍କୁ ଅଟୋରୁ ବାହାର କରିଥିଲା। ପୁଲିସ ଅଟୋ ଚାଳକକୁ ଖୁବ୍‌ ଗାଳି କରିବା ସହ କ୍ଷମତାଠାରୁ ବହୁତ ଅଧିକ ଯାତ୍ରୀ ବସାଇଥିବାରୁ ଚାଳକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ିକୁ ଜବତ କରି ଥାନାକୁ ପଠାଇ ଦିଆଯାଇଛି।

Comments are closed.