ମୁଁ ମୋର କର୍ତ୍ତବ୍ୟ କରିଛି କି ?

ଗଣତନ୍ତ୍ରରେ ଗଣ ସର୍ବଶକ୍ତିମାନ, ତାହା ଆମେ ଭୁଲିଯାଉଛୁ

ଶହଶହ ବର୍ଷର ରାଜନୈତିକ ଦାସତ୍ୱ ପରେ ଭାରତ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ହେଲା। ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱରେ ସତ୍ୟ ଅହିଂସା ବାଟରେ ଯାଇ ଭାରତ ସ୍ୱାଧୀନ ହୋଇପାରିଥିଲା। ଏହା ପରେ ବିଶ୍ୱର ଅନେକ ଦେଶ ଭାରତ ଦେଖାଇଥିବା ବାଟକୁ ଆପଣେଇବା ଉପରେ ଗୁରୁତ୍ୱ ଦେଇଥିଲେ। ଇତି ମଧ୍ୟରେ ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ୭୧ ବର୍ଷ ପୂରଣ କରି ୭୨ ବର୍ଷରେ ପଦାର୍ପଣ କରିଛି। ଗଣତନ୍ତ୍ର ଏବେ ବି ସୁଦୃଢ଼ ରହିବା ସହିତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମାର୍ଗ ଦେଖାଇବାରେ ସଫଳ ହୋଇଛି।

ଯୁଦ୍ଧ ଓ ହିଂସା ଭିତରଦେଇ ଗତିକରି ପୃଥିବୀ କ୍ଳାନ୍ତ ହୋଇଗଲାଣି। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାରୂପୀ କଳାମେଘ ଭିତରେ ଜାତିର ଜନକ ଗାନ୍ଧିଜୀଙ୍କ ନାମ ହିଁ ଶାନ୍ତି ଓ ପ୍ରେରଣାର ଏକମାତ୍ର ଆଲୋକରେଖା। ମାନବ ସମାଜ ଆଗରେ ଯେଉଁସବୁ ଅସଂଖ୍ୟ ଗୁୁରୁତର ସମସ୍ୟା ରହିଛି, ସେ ସବୁର ସମାଧାନ ଏ ଯନ୍ତ୍ରଯୁଗରେ କେବଳ ଗୋଟିଏ ମାତ୍ର ଉପାୟରେ ହୋଇପାରେ ବୋଲି ଅନେକ ଦେଶର ହୃଦ୍‌ବୋଧ ହେଲାଣି। ସେ ଉପାୟଟି ହେଉଛି ଗାନ୍ଧିଜୀଙ୍କ ପ୍ରଦର୍ଶିତ ବିକେନ୍ଦ୍ରୀକରଣ ଅର୍ଥନୀତି।

ରାଜନୈତିକ କ୍ଷେତ୍ରରେ ମଧ୍ୟ ପାଶ୍ଚାତ୍ୟ ଜଗତର ନେତୃସ୍ଥାନୀୟ ଚିନ୍ତାଶୀଳ ଲୋକେ କ୍ରମେ ଅଧିକ ମାତ୍ରାରେ ଅନୁଭବ କଲେଣି ଯେ ଗାଁ ଓ ସହରଗୁଡ଼ିକ ଗୋଟିଏ ଗୋଟିଏ ଆତ୍ମଶାସିତ ଗଣତନ୍ତ୍ରରେ ପରିଣତ ହୋଇଯିବା ଉଚିତ ଓ ଏହି ସବୁ ଗଣତନ୍ତ୍ରର ସମନ୍ୱୟରେ ଗୋଟିଏ ବିରାଟ ସମବାୟ ରାଜ୍ୟଗୋଷ୍ଠୀ ଗଢ଼ିଉଠିବା ଦରକାର।

ନୈତିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଏ କଥା ସ୍ୱୀକାର କରାଗଲାଣି ଯେ ଲକ୍ଷ୍ୟସାଧନ ପାଇଁ ଭୁଲ୍‍ ବା ଠିକ୍‍ ହେଉ, ଅବା କୌଣସି ଉପାୟ ଅବଲମ୍ବନ କରାଯାଇପାରେ ବୋଲି ଯେ ଆମେ ସ୍ୱୀକାର କରିଯାଉଛୁ, ତା’ରି ଫଳରେ ଏତେ ହିଂସା ଓ ଯୁଦ୍ଧର ଉତ୍ପତ୍ତି ହେଉଛି। ପରମାଣୁ ବୋମା ବଦଳରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟାଗ୍ରହ ହିଁ ସମଗ୍ର ବିଶ୍ୱକୁ ନିଶ୍ଚୟ ବାଟ ଦେଖାଇପାରିବ।

ଅହିଂସା ବଳରେ ଆମେ ରାଜନୈତିକ ସ୍ୱାଧୀନତା ହାସଲ କଲେ; କିନ୍ତୁ ସେହି ସ୍ୱାଧୀନତାକୁ ରକ୍ଷା କରିବାପାଇଁ ଆମେ ନାକବୁଡ଼ା ଅସ୍ତ୍ରସଜ୍ଜା କରୁଛୁ। ଆମେ ବରାବର ଖଦି ଓ ଗ୍ରାମଶିଳ୍ପ କଥା କହିଆସୁଥିଲୁ; କିନ୍ତୁ ସ୍ୱରାଜ୍ୟ ପରେ ଆମ ଅର୍ଥନୀତି ୟୁରୋପ ଓ ଆମେରିକାର ଅର୍ଥନୀତିଠାରୁ ବିଶେଷ କିଛି ଫରକ ନାହିଁ। ଲାଞ୍ଚ, ମିଛ, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ଭାବ ଆମ ସାଧାରଣ ଜୀବନରେ ବରାବର ମୁଣ୍ଡ ଟେକି ଚାଲିଛି। ଭବିଷ୍ୟତରେ ଭଲ ସମୟ ଆସିବାର କୌଣସି ସୂଚନା ମିଳୁନାହିଁ। ପ୍ରତ୍ୟେକ ଲୋକ ନେତା, ସରକାର, ପ୍ରଶାସନ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ସମାଲୋଚନା କରିଦେଇ ନିଶ୍ଚିନ୍ତ ହୋଇ ବସିଯାଇଛନ୍ତି। ଅନ୍ୟଲୋକ ମୁଣ୍ଡରେ ଦୋଷ ଲଦି ଦେବାକୁ ସର୍ବଦା ଚେଷ୍ଟା କରାଯାଉଛି। ଗଣତନ୍ତ୍ରରେ ଗଣ ସର୍ବଶକ୍ତିମାନ, ଆମେ ତାକୁ ଭୁଲିଯାଉଛେ।

ମହାତ୍ମା ଗାନ୍ଧୀଙ୍କ ସହିତ ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ବହୁ ବିରାଟ ବ୍ୟକ୍ତିତ୍ୱଙ୍କୁ ନେଇ ଆମେ ଗର୍ବିତ। ଅନ୍ୟ କୌଣସି ଦେଶରେ ଏଭଳି ଜନପ୍ରିୟ ନେତା ମିଳିବା କଷ୍ଟ। ଏହିଭଳି ମହାନ ବ୍ୟକ୍ତିଙ୍କ ବଳିଦାନ ଥାଉଥାଉ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଆଖିକୁ ଦେଖିବା ଭଳି କିଛି କରିପାରିନାହୁଁ। ଏହାର ରହସ୍ୟ ଭେଦ କରିବାକୁ ବେଶୀଦୂର ଯିବାକୁ ପଡ଼ିବ ନାହିଁ। ଆମେ ସମୂହ ଚିନ୍ତା ପରିବର୍ତ୍ତେ ଅତି ମାତ୍ରାରେ ବ୍ୟକ୍ତିଗତ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦେଉଛୁ। ଆମେସବୁ କେବଳ ଆମ ନିଜ ସ୍ୱାର୍ଥ ଉପରେ ବେଶି ଗୁରୁତ୍ୱ ଦେଇ ଜାତିର କ’ଣ ଦରକାର ସେ କଥା ବିଚାରୁନାହୁଁ। ନିଜର କ’ଣ ଅଧିକାର ବା ଦାବି, ତା’ରି ଉପରେ ଜୋର ଦେଉ। ସମାଜ ପ୍ରତି ଆମର କର୍ତ୍ତବ୍ୟ କ’ଣ, ତା’ ଉପରେ ଜୋର ଦେଉନାହୁଁ।

ରାଜନୈତିକ ଦାସତ୍ୱର ଶୃଙ୍ଖଳ ଭାଙ୍ଗି ଦେଲାପରେ ଉନ୍ନତି ପଥରେ ଭାରତର ଯେଭଳି ଗତି ହେବା ଦରକାର ତା’ ହେଉନାହିଁ; ତା’ର କାରଣ ହେଉଛିି ଆମର ସାମାଜିକ ଦୃଷ୍ଟିଭଙ୍ଗୀ ଓ ସାମୂହିକ ଦାୟିତ୍ୱଜ୍ଞାନ ନାହିଁ। ସାମାଜିକ, ଅର୍ଥନୈତିକ, ଶିକ୍ଷା ସମ୍ବନ୍ଧୀୟ ତଥା ରାଜନୈତିକ ବ୍ୟବସ୍ଥା ଆଜି ଯେପରି ରହିଛି, ସେଥିରେ ସମଗ୍ର ଭାରତର ଲୋକ ଅସନ୍ତୁଷ୍ଟ। ଆଜି ଯେଉଁ ଶୋଚନୀୟ ପରିସ୍ଥିତି ଦେଶରେ ଉପୁଜିଛି, ସେଥିପାଇଁ ଅନ୍ୟ ସମସ୍ତେ ଦୋଷୀ, କେବଳ ସେହି ଏକା ନିର୍ଦୋଷ ବୋଲି ପ୍ରତ୍ୟେକ ଲୋକ ଭାବୁଛନ୍ତି। ଦଶଟି ବୋକା ଦିଅଁ ଦର୍ଶନ କରିଗଲାବେଳେ ଯାହା ହେଲା; ସେଇ ଗପଟି ମନେ ପଡ଼ୁଛି। ନଈ ପାର ହେଲାପରେ ସେମାନେ ସମସ୍ତେ ଆସିଛନ୍ତି କି ନାହିିଁ ଗଣା ଆରମ୍ଭ ହେଲା। ପ୍ରତ୍ୟେକ ଲୋକ ନିଜକୁ ବାଦ୍‌ ଦେଇ ଅନ୍ୟମାନଙ୍କୁ ଗଣିଲେ। ଫଳ ହେଲା ଯେ ସଂଖ୍ୟା ନଅ ପର୍ଯ୍ୟନ୍ତ ଗଲା, ଦଶ ହୋଇପାରିଲା ନାହିଁ। ସମସ୍ତେ ବିକଳ ହୋଇ କାନ୍ଦିଲେ “ଆରେ ଜଣେ କୁଆଡ଼େ ଗଲା?’ ଶେଷରେ ଜଣେ ବୁଦ୍ଧିଆ ଲୋକ ଆସି ତାଙ୍କୁ ବୁଝାଇ ଦେଲା। ବୋକାଯାକ ଯେତେବେଳେ ବୁଝିଗଲେ ଯେ ଦଶଜଣ ଯାକ ଆସିଛନ୍ତି, କେହି ହଜିନାହାନ୍ତି, ନାଚିକୁଦି ହସିହସି ଦିଅଁ ଦର୍ଶନ କରିବାକୁ ଚାଲିଲେ। ଦେଶର ସମସ୍ତେ ଅଳ୍ପ ବହୁତେ ସେହି ବୋକାଙ୍କ ଭଳି ହେଉଛେ। ଅନ୍ୟ ଲୋକ ଉପରେ ଦୋଷ ଲଦି ଦେଉଛେ। ନିଜ ଦୋଷ ଜାଣୁନାହୁଁ।

ଜଣଜଣ କରି ଆମେ ସମସ୍ତେ ଯଦି ଭଲ, ତେବେ ସମାଜଟା କିଭଳି ବିଗିଡ଼ିଗଲା। ଯେଉଁମାନେ ଆମେ ନିଜକୁ ସତ୍‍ ଓ ଯୋଗ୍ୟ ବୋଲି ବିଚାରୁଛେ, ସେହିମାନଙ୍କୁ ନେଇ ତ ପୁଣି ସମାଜ ଦିନେ ଗଢ଼ା ହେଉଛି। ଏ ଦୃଷ୍ଟିକୋଣ ବଦଳାଇ ଦେଇ ନିଜ ଦୁର୍ବଳତା ଆଡ଼କୁ ଦୃଷ୍ଟି ଦେଲେ ଆମେ ଦେଖିବା ଯେ ଅତି ଅଳ୍ପଦିନ ଭିତରେ ଆମ ଦେଶ ଖୁବ୍‍ ଉପରକୁ ଉଠିଯିବ। ତେଣୁ ଆମେ ସମସ୍ତେ ଚାଲ ନିଜକୁ ପଚାରିବା- ମୁଁ ମୋର କର୍ତ୍ତବ୍ୟ କରିଛି କି? ବ୍ୟକ୍ତିବିଶେଷ ବଦଳିଗଲେ ଜାତି ବଦଳିଯାଏ ଓ ଜାତି ବଦଳିଗଲେ ପୃଥିବୀ ବଦଳିଯାଇ ତାହା ସତକୁ ସତ ବାସଯୋଗ୍ୟ ହୋଇଯାଏ।

Comments
Loading...