ପିପିଲି ପୁଲିସ ପକ୍ଷରୁ ୨୫୫ ଗ୍ରାମ ଧଳା ଜହର ଜବତ

ନିଶା କାରବାରର ମୁଖ୍ୟ ଗିରଫ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଧଳାଜହର କାରବାରର ମୁଖ୍ୟ କାରପଟଦାର କୁହାଯାଉଥିବା ଜଗବନ୍ଧୁ ବୈଠାରୁ ଓରଫ ଜଗା (୩୧)କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି । ତା’ ନିକଟରୁ ୨୫୫ ଗ୍ରାମ ଓଜନର ଧଳାଜହର ସମେତ ୫ହଜାର ଟଙ୍କା ଜବତ କରାଯାଇଥିବା ନେଇ ପୁରୀ ଜିଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଗାର ଘର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଭବାନୀପୁର ଦେବୀଗଳିରେ ହୋଇଥିବା ସୂଚନା ମିଳିଛି।ପିପିଲି ଥାନା ପରିସରରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ଯେ, ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଜଗା ଧଳାଜହର ଆଣି ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଛୋଟ ଛୋଟ ପୁଡିଆରେ ବିକ୍ରି କରୁଥିଲା । ଏହା ପୂର୍ବରୁ ସେ ପିପିଲି ପୁଲିସ ଦ୍ୱାରା ୨ଥର ଏନ୍‍ଡିପିଏସ୍‍ ମାମଲାରେ ଗିରଫ ହୋଇ ଜେଲ୍‍ ଯାଇଥିଲା । ଜେଲରୁ ଫେରିବା ପରେ ମଧ୍ୟ ସେ ପୂର୍ବପରି ଧଳାଜହର ବେପାର ଚଳାଇଥିଲା । ପିପିଲି ଓ ଏହାର ଆଖପାଖ ଅଞ୍ଚଳ ସମେତ ଗ୍ରାମାଞ୍ଚଳରେ ଜଗା ଏହି ଧଳାଜହର ବିକ୍ରି କରୁଥିଲା। ପୁରୀ ଜିଲା ବିଶେଷ କରି ଗ୍ରାମାଞ୍ଚଳରେ ଏହି ଧଳାଜହର କାରବାରକୁ ରୋକିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଶନିବାର ସକାଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଥାନା ଆଇଆଇସି ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ଗଠିତ ପିପିଲି ପୁଲିସର ସ୍ୱତନ୍ତ୍ର ଟିମ୍‍ ଦେବୀଗଳି ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ଜଗାକୁ ଗିରଫ କରିବାରେ ସଫଳ ହୋଇଥିଲେ । ତା’ ନିକଟରୁ ୨୫୫ ଗ୍ରାମ ଧଳାଜହର ସମେତ ୫ହଜାର ଟଙ୍କାକୁ ପୁଲିସ ଜବତ କରିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଶ୍ରୀପ୍ରଧାନ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତ ଜଗାକୁ ପୁରୀ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.