୪୧୮ ଜଣଙ୍କ ବିରୋଧରେ ଭିଜିଲାନ୍ସ ମାମଲା, ତାଲିକାରେ ୩୪ ପ୍ରଥମ ଶ୍ରେଣୀ ଅଧିକାରୀ

ଭୁବନେଶ୍ଵର: ରାଜ୍ୟରେ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ଭିଜିଲାନ୍ସ ବିଭାଗ ପକ୍ଷରୁ ୪୧୮ ଜଣଙ୍କ ବିରୋଧରେ ୨୫୦ ଫୌଜଦାରୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୩୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ରହିଛନ୍ତି। ଏହାବ୍ୟତୀତ ୨୪ ଜଣ ୨ୟ ଶ୍ରେଣୀ ଅଧିକାରୀ, ୨୩୫ ଜଣ ୩ୟ ଶ୍ରେଣୀ ଓ ୫ ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ସେହିପରି ୨୮ ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏବଂ ୯୨ ଜଣ ଘରୋଇ ବ୍ୟକ୍ତି ରହିଛନ୍ତି। ୨୫୦ ମାମଲା ମଧ୍ୟରୁ ୫୨ଟି ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ସଂକ୍ରାନ୍ତରେ ରହିଛି। ଏସବୁ ମାମଲାରେ ମୋଟ ୬୨ କୋଟି ୮୩ ଲକ୍ଷ ଟଙ୍କା ଜବତ ହୋଇଥିବା ଶୁକ୍ରବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏସବୁ ମାମଲାରେ ୧୫୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨୧ ପ୍ରଥମ ଶ୍ରେଣୀ ଓ ୧୯ ଦ୍ବିତୀୟ ଶ୍ରେଣୀ ଅଧିକାରୀ ଥିବାବେଳେ ୧୦୩ ତୃତୀୟ ଶ୍ରେଣୀ, ୫ ଚତୁର୍ଥ ଶ୍ରେଣୀ  କର୍ମଚାରୀ ରହିଛନ୍ତି। ୩ ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ୮ଜଣ ଘରୋଇ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।

ଅନ୍ୟପଟେ ଏହି ସମୟ ମଧ୍ୟରେ ୧୧୪ଟି ଲାଞ୍ଚ ମାମଲା ରୁଜୁ ହୋଇଛି। ୧୨୦ ଜଣ ସରକାରୀ କର୍ମଚାରୀ ଏବଂ ୨ ଜଣ ଘରୋଇ ବ୍ୟକ୍ତିଙ୍କ ବିରୋଧରେ ଏସବୁ ମାମଲା ରୁଜୁ ହୋଇଥିବାବେଳେ ୧୭ ଲକ୍ଷ ୩୬ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ୨୧୩ ଜଣଙ୍କ ବିରୋଧରେ ୮୪ଟି ଅର୍ଥ ଆତ୍ମସାତ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୧୪୮ ସରକାରୀ କର୍ମଚାରୀ ଥିବାବେଳେ ୬୫ ଜଣ ଘରୋଇ ବ୍ୟକ୍ତି ଅଛନ୍ତି। ସରକାରୀ କର୍ମଚାରୀଙ୍କ ମଧ୍ୟରେ ୧୦ ଜଣ ପ୍ରଥମ ଶ୍ରେଣୀ, ୨ ଜଣ ୨ୟ ଶ୍ରେଣୀ ଅଧିକାରୀ ଏବଂ ୧୧୫ ଜଣ ୩ୟ ଶ୍ରେଣୀ କର୍ମଚାରୀ ସମ୍ପୃକ୍ତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭ ଜଣ ପ୍ରଥମ ଶ୍ରେଣୀ, ୨୫ ଜଣ ୨ୟ ଶ୍ରେଣୀ ଅଧିକାରୀ, ୧୮୭ ତୃତୀୟ ଶ୍ରେଣୀ ଓ ୫ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୪ ଅନ୍ୟାନ୍ୟ ସରକାରୀ କର୍ମଚାରୀ, ୧୩ ଘରୋଇ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ୧୧୮ଟି ମାମଲାର ତଦନ୍ତ ସରିଥିବାବେଳେ ୧୧୨ଟି ମାମଲାରେ ୧୯୨ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଛି।

ମୋଟ ମାମଲାରୁ କୋର୍ଟରେ ୫୯ ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ୭୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୫ ପ୍ରଥମ ଶ୍ରେଣୀ ଓ ୪ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୫୩ ଜଣ ୩ୟ ଶ୍ରେଣୀ ଓ ୨ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୪ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏବଂ ୩ ଘରୋଇ ବ୍ୟକ୍ତି ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Comments are closed.